ଭୁବନେଶ୍ୱର
: ରାଜ୍ୟର ଅଗ୍ରଣୀ ସାରସ୍ଵତ ସଂଗଠନ ‘ସ୍ଵର ସୁଧା’ ଆନୁକୂଲ୍ୟରେ କଳିଙ୍ଗ କଳା କ୍ଷେତ୍ରତରଫରୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ କକ୍ଷରେ ଆୟୋଜିତ ହୋଇଯାଇଛି। ପ୍ରତିଷ୍ଠାତା ଗୁରୁ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କ ଉପସ୍ଥିତିରେ ସୁବିଖ୍ୟାତ ସାହିତ୍ୟିକ ଦାଶ ବେନହୁର, ଡ. ବୈଷ୍ଣବ ଚରଣ ମହାନ୍ତି, ଚଳଚିତ୍ର ନିର୍ମାତା ବିୟୋତପ୍ରଜ୍ଞା ତ୍ରିପାଠୀ, ସଂସ୍କୃତ ବିଜ୍ଞାନ ପ୍ରଫେସର ଗୋପବନ୍ଧୁ ମିଶ୍ର, ପ୍ରଫେସର ବସନ୍ତ ସାହୁ ପ୍ରଦୀପ ଜଳାଇ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ସମାରୋହର ଆବାହକ ପ୍ରଫେସର ବସନ୍ତ ସାହୁ ଅତିଥି ସ୍ଵାଗତ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରସିଦ୍ଧ ହିନ୍ଦୁସ୍ତାନୀ ବେହେଲା ବାଦନ ବିଦୁଷୀ ସ୍ଵରସୁଧା ଡ. ସ୍ଵର୍ଣ୍ଣ ଖୁଣ୍ଟିଆଙ୍କ ସ୍ମୃତିରେ ସମର୍ପିତ ସନ୍ଧ୍ୟାର ଅତିଥିଗୁରୁ ହରମୋହନ ଖୁଣ୍ଟିଆଙ୍କ ସାଙ୍ଗୀତିକ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ପଣ୍ଡିତ ଖୁଣ୍ଟିଆଙ୍କ ରଚିତ ପୁସ୍ତକ ଓଡିଶୀ ସଙ୍ଗୀତ ସାରଣୀର ପାଠକାର୍ଷଣ କରିଥିଲେ ଅତିଥିବୃନ୍ଦ। ସୁବିଖ୍ୟାତ ଓଡିଶୀ ନୃତ୍ୟ ବିଦୁଷୀ ଡ. ସୁଜାତା ମହାପାତ୍ରଙ୍କୁ ସମ୍ମାନ ଜନକ ପଣ୍ଡିତ ହରମୋହନ ଖୁଣ୍ଟିଆ ପୁରସ୍କାର କରାଯାଇଥିଲା।
ଶାସ୍ତ୍ରୀୟ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା ବଂଶୀ ବାଦନରୁ। ଆଇ.ଆଇ.ଟି ନୂଆଦିଲ୍ଲୀର ଉଦୀୟମାନ ଶିଳ୍ପୀ ଇଂ. ଶୁଭକାନ୍ତ ସାହୁ ରାଗଜାତର ମଧୁର ମୂର୍ଚ୍ଛନାରେ ଆସରକୁ ସଙ୍ଗୀତ ମୟ କରିଥିଲେ। ଭାରତ ବର୍ଷର ସୁବିଖ୍ୟାତ ତବଲା ବାଦନ ବିଦ୍ଵାନ ପଣ୍ଡିତ ଆଶିଷ ସେନ୍ ଗୁପ୍ତା ଇଂ. ଶୁଭକାନ୍ତ ସାହୁଙ୍କୁ ଯନ୍ତ୍ରାଂଶେ ସହଯୋଗ ଦେଇଥିଲେ। ପରେ ପରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ସଙ୍ଗୀତଜ୍ଞ ପଣ୍ଡିତ ଗୌତମ କାଲେ ଶାସ୍ତ୍ରୀୟ ସଙ୍ଗୀତର ବିବିଧ ରାଗ ରାଗେଶ୍ରୀ ଗାୟନରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ଗୁରୁ କୁଳମଣି ସାହୁ ଓ ଦିଲ୍ଲୀପ ବିଶ୍ଵାସ ତବଲା ଓ ହାରମୋନିୟମ୍ ରେ ପଣ୍ଡିତ କାଲେ ଙ୍କୁ ସହଯୋଗ ଦେଇଥିଲେ।
ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଏକକ ତବଲା ବାଦନରେ ବିବିଧ ତାଳକୁ ଉପସ୍ଥାପନ କରି ଆସରକୁ ତାଳବାଦ୍ୟମୟ କରିଥିଲେ ପଣ୍ଡିତ ଆଶିଷ ସେନ୍ଗୁପ୍ତା। କାର୍ଯ୍ୟକ୍ରମ ଶେଷରେ କଳିଙ୍ଗ କଳାକ୍ଷେତ୍ରର ଆବାହକ ପ୍ରଫେସର ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିବା ବେଳେ ଡ. ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନା କରିଥିଲେ।
