ନୂଆଦିଲ୍ଲୀ: ଚାରିଆଡ଼େ ଧୂଆଁଧୂଆଁ । ସବୁଠି ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ମଧ୍ୟ ଯଥେଷ୍ଟ ହ୍ରାସ । ଡାକେ ବାଟ ବି ଦେଖା ଯାଉନି । ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ପାଇଁ ରୁନ୍ଧି ହୋଇଗଲାଣି ରାଜଧାନୀ ଦିଲ୍ଲୀ । ପ୍ରଦୂଷଣ ହ୍ରାସ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ, ଗାଡ଼ି ଚଳାଚଳ ଓ ନିର୍ମାଣ କାମ ଉପରେ କଟକଣା ବି ଲାଗିଛି । ତଥାପି ସୁଧୁରୁନି ସ୍ଥିତି । ଘନ କୁହୁଡ଼ି ଓ ଉତ୍କଟ ବାୟୁ ପ୍ରଦୂଷଣରେ ରୁନ୍ଧି ହୋଇଗଲାଣି ଦେଶର ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଛି । ଅତି ଖରାପ ରହିଛି ବାୟୁ ଗୁଣବତ୍ତା । ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୪୧୪ ଥିଲା । କେତେକ ସ୍ଥାନରେ ଏହା ଯଥେଷ୍ଟ ଅଧିକ ରହିଥିଲା । ଆନନ୍ଦ ବିହାରରେ ୪୬୬, ମୁନ୍ଦକାରେ ୪୫୧, ଅଶୋକ ବିହାରରେ ୪୪୪ ଏବଂ ଆଇଟିଓ ଅଞ୍ଚଳରେ ଏକ୍ୟୁଆଇ ଥିଲା ୪୩୬ । ଇଣ୍ଡିଆ ଗେଟ୍, କର୍ତ୍ତବ୍ୟ ପଥ ଓ ରାଷ୍ଟ୍ରପତି ଭବନ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ୪ ଶହ ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି ।
