ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ ଆଜି ଭଦ୍ରକ ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ଇରମ ନଗର ଗାନ୍ଧୀ ପଡିଆଠାରେ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଭଦ୍ରକ ମାଟି ଐତିହାସିକ ବଳିଦାନ ଓ ଦେଶଭକ୍ତିର ପ୍ରତୀକ। ଏହି ପବିତ୍ର ଭୂମିରେ ଏବିଭିପିର ରାଜ୍ୟ ଅଧିବେଶନ ଆୟୋଜନ ହେବା ଭଦ୍ରକ ପାଇଁ ଗର୍ବର ବିଷୟ। ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଏବିଭିପିର ସମାଜ ସେବା, ଶିକ୍ଷା ସଂସ୍କାର, ଛାତ୍ର ହିତ ସୁରକ୍ଷା ଓ ଜାତୀୟ ପୁନର୍ନିର୍ମାଣରେ ଏହାର ଦୀର୍ଘଦିନର ଅବଦାନକୁ ପ୍ରଶଂସନୀୟ।
କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଅତିଥିବୃନ୍ଦ ସ୍ୱାମୀ ବିବେକାନନ୍ଦ ଓ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଜ୍ଞାନ, ଦେଶଭକ୍ତି ଓ ସେବାଭାବର ପ୍ରତୀକ ରୂପେ ଅଧିବେଶନର ଶୁଭାରମ୍ଭ କରିଥିଲେ। ନବ ନିର୍ବାଚିତ ରାଜ୍ୟ ସଭାପତି ଡଃ ଦେବେଶ ଶଙ୍କର ହୋତା ତାଙ୍କ ସ୍ୱାଗତ ଉଦ୍ବୋଧନରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭଦ୍ରକର ପବିତ୍ର ମାଟିକୁ ସ୍ୱାଗତ ଜଣାଇଥିଲେ ଓ ଏବିଭିପିର ୫୦ତମ ରାଜ୍ୟ ଅଧିବେଶନ ଓଡିଶାର ଛାତ୍ର ଆନ୍ଦୋଳନ ପାଇଁ ଏକ ମାଇଲସ୍ଟୋନ୍ ବୋଲି ଅଭିହିତ କରିଥିଲେ।
