ଡାବୁଗାଁ (ସଂଜୟ ପାଢ଼ୀ): ଜଣେ ବ୍ୟକ୍ତିକୁ ସମାଜରେ ବଞ୍ଚି ରହିବାକୁ ହେଲେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ନିହାତି ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନ ଥିଲେ ଦୁନିଆରେ ବଞ୍ଚିବା କାଠିକର ପାଠ ହୋଇଯିବ। ତେବେ ଜଣେ ମହିଳା ପୌଷ ମାସର ଭୀଷଣ ଥଣ୍ଡାରେ ଖୋଲା ଆକାଶ ତଳେ ଆଶ୍ରୟ ନେଇ ବଞ୍ଚିବାର ସଂଘର୍ଷ କରୁଛନ୍ତି। ଖାଦ୍ୟ ଅଭାବ ସାଙ୍ଗକୁ ବାସ ହିନ ରହିଥିବାରୁ ମହିଳାଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରଜିଲ୍ଲା ଡାବୁଗାଁ ସଦର ଜଗନ୍ନାଥ ମନ୍ଦିର ସମ୍ମୁଖରେ।
ଜଣେ ଅଜଣା ମହିଳା ବୟସ ଆନୁମାନିକ ୪୫ ହେବ ଗତ ଏକ ମାସ ହେଲା ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ଡ୍ରେନ ପାଖରେ ଆଶ୍ରୟ ନେଇଛନ୍ତି। କେଉଁ କାରଣରୁ ଏହି ଅଜଣା ମହିଳା ଜଣକ ଡାବୁଗାଁ ଆସି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଖୋଲା ଆକାଶ ତଳେ ରହିବା ପାଇଁ ନିଷ୍ପତି ନେଲେ ତାହା ଜଣା ପଡି ନ ଥିବା ବେଳେ ମାନ ଅଭିମାନ କରି ଘରୁ ବାହାରି ଆସିଥିବା ଅନୁମାନ କରାଯାଉଛି। ନିକଟ ଗୌଡ଼ସାହିର ମହିଳାମାନେ ଦୟା ପରବସ ହୋଇ ପ୍ରତିଦିନ ଯାହା ଖାଇବାକୁ ଦିଅନ୍ତି ସେଥିରେ ମହିଳା ଖାଇ ରହି ଯାଉଛନ୍ତି। ଗୋଟିଏ ଲୁଗାରେ ଏହି ମହିଳା କିଛି ଦିନ ଖୋଲା ଆକାଶ ତଳେ ଶୋଇବା ଦେଖି ଗ୍ରାମର କିଛି ବ୍ୟକ୍ତି ଗୋଟିଏ ମସିଣା ଓ ଗୋଟିଏ କମ୍ବଳ ଘୋଡାଇବାକୁ ଦେଇଥିଲେ।
