ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧୀ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଘୋଷଣା । ସବୁ ରାଜ୍ୟରେ ଏବେ ରହିବ ସମାନ ATS ଢାଞ୍ଚା । ସମଗ୍ର ଦେଶରେ ଆତଙ୍କବାଦ ବିରୋଧରେ ଏବେ ଏକାଭଳି ରଣନୀତି ହେବ । ଦିଲ୍ଲୀରେ ଆୟୋଜିତ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀରେ ଯୋଗଦେଇ ଶାହ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୬ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ କହିଛନ୍ତି। ସବୁ ରାଜ୍ୟର ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ATS) ଏଣିକି ଏକାଭଳି ଶୈଳୀରେ କାମ କରିବେ। NIA ପକ୍ଷରୁ ପ୍ରସ୍ତୁତ ନୂଆ ମଡେଲକୁ ସବୁ ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ DGPଙ୍କୁ କହିଛନ୍ତି।
ଏହାଦ୍ୱାରା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସାରା ଦେଶ ପ୍ରସ୍ତୁତ ରହିବ। ଫଳରେ ଅପରାଧର ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡ ଦେବା ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ପାଇଁ NIA ଏକ ନୂଆ ନିୟମାବଳୀ ଜାରି କରିଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ପ୍ରତି ରାଜ୍ୟ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ସହ ଜଡ଼ିତ ଥିବା ସଂଗଠିତ ଅପରାଧୀ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଏକ ନୂଆ ଡାଟାବେସ୍ ବ୍ୟବହାର କରାଯିବ। ଏଥିରେ NIA, CBI ଏବଂ IB ମିଳିତ ଭାବେ କାମ କରିବେ।
ତଦନ୍ତ ବେଳେ ଲୁଚି ରହିଥିବା ତଥ୍ୟ ଖୋଜିବା ପାଇଁ NIA’s Digital Analysis and Alert Network (NIDAAN) ଓ National Intelligence Grid (NATGRID) ଭଳି ଡିଜିଟାଲ୍ ମାଧ୍ୟମର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଅପରାଧୀଙ୍କ ମଧ୍ୟରେ ଥିବା ଗୋପନୀୟ ସମ୍ପର୍କ ସହଜରେ ଜଣାପଡ଼ିବ। ସୂଚନା ବା ଗୋଇନ୍ଦା ତଥ୍ୟ ବାଣ୍ଟିବା ପାଇଁ ‘ମଲ୍ଟି ଏଜେନ୍ସି ସେଣ୍ଟର’ (MAC) ଓ ‘ନ୍ୟାସନାଲ୍ ମେମୋରୀ ବ୍ୟାଙ୍କ’ରେ ସବୁ ସଂସ୍ଥା ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଜରୁରୀ। ତଦନ୍ତ, ସୂଚନା ସଂଗ୍ରହ, ବିପଦର ଆକଳନ ଓ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ସବୁ ସୁରକ୍ଷା ସଂସ୍ଥା ମଧ୍ୟରେ ଏକତା ରହିବା ଆବଶ୍ୟକ। ଏହାଦ୍ୱାରା ଦେଶର ସୁରକ୍ଷା ବଳୟ ଅଧିକ ଶକ୍ତିଶାଳୀ ହେବ।
