ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକୁ ସମଗ୍ର ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି।ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜାନୁଆରି ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପୂର୍ବରୁ ତାଙ୍କୁ ମନେ ପକାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ବତୀ ଗିରିଙ୍କୁ ଓଡ଼ିଶାର ସବୁଠାରୁ ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ ଭାବରେ ବର୍ଣ୍ଣନା କରିଥିଲେ, ଯିଏ ଗରିବ, ନିଷ୍ପେସିତ ଏବଂ ଆଦିବାସୀ ସମ୍ପ୍ରଦାୟର ସେବା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି, ରବିବାରର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ଜଣାଉଛି। ସେ ତାଙ୍କ ସମଗ୍ର ଜୀବନ ଅବହେଳିତଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ଓଡ଼ିଶାର ଏହି ‘ଅଗ୍ନିକନ୍ୟା’ଙ୍କ ଅବଦାନକୁ ସ୍ମରଣ କରିବା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।
