ଭୁବନେଶ୍ୱର:
ଓଡିଶା ଖଣି ନିଗମ (OMC) ଦ୍ୱାରା ସୁକିନ୍ଦା କ୍ରୋମାଇଟ ଖଣିଗୁଡ଼ିକରୁ ପ୍ରତିମାସ ନିୟମିତ ଭାବେ ନିଲାମ ମାଧ୍ୟମରେ କ୍ରୋମପଥର ବିକ୍ରୟ କରାଯାଉଛି। ତଥାପି -୪୦% ଗ୍ରେଡର କ୍ରୋମାଇଟ ବିକ୍ରୟ କ୍ଷେତ୍ରରେ ଗୁରୁତର ଅନିୟମ ଘଟୁଥିବା ଅଭିଯୋଗ ଉଠିଛି।
ବିଗତ ଏକ ବର୍ଷ ଧରି (୨୦୨୪ ମସିହାରେ) -୪୦% ଗ୍ରେଡର କ୍ରୋମାଇଟକୁ ପାଖାପାଖି ୯,୦୦୦ ଟଙ୍କା ପ୍ରତି ଟନ ଏକ ସ୍ଥିରିକୃତ ଦରରେ ବିକ୍ରୟ କରାଯାଉଛି। ଯେଉଁଠାରେ ବିଶ୍ୱ ବଜାରରେ ଏହି ଦୁର୍ଲଭ ଖଣିଜ ପଦାର୍ଥର ଦର ସମୟ ସମୟରେ ବଢ଼ୁଥିବା ଓ କମୁଥିବା ଦେଖାଯାଉଛି, ସେଠାରେ -୪୦% ଗ୍ରେଡ କ୍ରୋମାଇଟର ଦର ପ୍ରାୟ ସମାନ ରହିବା ଅନେକ ପ୍ରଶ୍ନ ଉଠାଉଛି।
ଅନ୍ୟପଟେ ୪୦% ଗ୍ରେଡର କ୍ରୋମାଇଟ ୨୧ ରୁ ୨୨ ହଜାର ଟଙ୍କା ପ୍ରତି ଟନ ଦରରେ ବିକ୍ରୟ ହେଉଥିବା ବେଳେ, ଅନ୍ୟାନ୍ୟ ଉଚ୍ଚ ଗ୍ରେଡର କ୍ରୋମାଇଟ ଆହୁରି ଅଧିକ ଦରରେ ବିକ୍ରୟ ହେଉଛି। ଏପରି ସ୍ଥିତିରେ -୪୦% ଗ୍ରେଡ କ୍ରୋମାଇଟର ଦର ଏତେ କମ୍ ରହିବା ପଛରେ ବଡ଼ ଷଡଯନ୍ତ୍ର ଥିବା ଆଶଙ୍କା ପ୍ରକାଶ ପାଇଛି।
ଏହି ପ୍ରସଙ୍ଗରେ ରାଜ୍ୟ ଓ ରାଜ୍ୟ ବାହାରର କିଛି ଶିଳ୍ପ ସଂସ୍ଥା, ଓଡିଶା ଖଣି ନିଗମର କିଛି ପଦାଧିକାରୀ ଏବଂ କିଛି ରାଜନୈତିକ ନେତାଙ୍କ ମଧ୍ୟରେ ଏକ ସିଣ୍ଡିକେଟ ଗଠିତ ହୋଇ ଟେଣ୍ଡର ଫିକ୍ସିଂ କରାଯାଉଥିବା ଅଭିଯୋଗ ହୋଇଛି। ଏହା ଫଳରେ ରାଜ୍ୟ ସରକାର ପ୍ରତିବର୍ଷ ଶହ ଶହ କୋଟି ଟଙ୍କାର କ୍ଷତି ସହୁଛନ୍ତି ବୋଲି ଦାବି କରାଯାଇଛି।
ଏହି ସମସ୍ତ ଅନିୟମର ସି.ବି.ଆଇ ଓ ଇ.ଡି ଦ୍ୱାରା ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ—ଏହି ଦାବି ନେଇ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ନ୍ୟାୟ ମିଳିବା ନହେଲେ ଆଗାମୀ ଦିନରେ ଏହି ବିଷୟକୁ ନେଇ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଛାଇବେ ନାହିଁ ବୋଲି ଶ୍ରୀ ଘଡାଇ ଏକ ପ୍ରେସ ବିବୃତିରେ ସଚେତନ କରାଇଛନ୍ତି।
