ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ସମ୍ପର୍କରେ ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବିବୃତ୍ତି ଚର୍ଚ୍ଚା ବଢ଼ାଇଛି। ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କରି ନାହାଁନ୍ତି, ଯାହା କାରଣରୁ ଏହି ଚୁକ୍ତି ହୋଇପାରିନାହିଁ। ଅନ୍ୟପଟରେ ଲୁଟନିକଙ୍କ ଏହି ଯୁକ୍ତିକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି।
ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବିବୃତ୍ତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ଏବଂ ଆମେରିକା ଗତ ବର୍ଷ ଫେବ୍ରୁଆରି ମାସରୁ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି। ଉଭୟ ପକ୍ଷ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ରିପୋର୍ଟ ହୋଇଥିବା ମନ୍ତବ୍ୟରେ ଦିଆଯାଇଥିବା ଏହି ଆଲୋଚନାର ବିବରଣୀ (ହାୱାର୍ଡ ଲୁଟନିକଙ୍କ ବିବୃତ୍ତି) ସତ୍ୟ ନୁହେଁ। ଆମେ ଏହି ଚୁକ୍ତି ସମାପ୍ତ କରିବାକୁ ଆଶା କରୁଛୁ। ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ଟ୍ରମ୍ପ ୨୦୨୫ରେ ଆଠ ଥର ଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି, ଆମର ବ୍ୟାପକ ସହଭାଗୀତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଆମେ ଏକ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଏକ ସହମତିରେ ପହଞ୍ଚିଛୁ।
