ଭଦ୍ରକ, ୧୧ ଜାନୁଆରୀ —
ଗତ ତା. ୧୧/୦୧/୨୦୨୫ ରିଖ ରବିବାର ଦିନ ଝୁମୁକା କ୍ଷୁଦ୍ର ଜଳସେଚନ ଡାକବଙ୍ଗଳାଠାରେ ଭଦ୍ରକ ବାଣିଜ୍ୟ ସ୍ନାତକ–୮୭ ବ୍ୟାଚର ବହୁପ୍ରତୀକ୍ଷିତ ବନ୍ଧୁମିଳନ ଆନନ୍ଦ ଓ ଆତ୍ମୀୟତାର ସହିତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ବନ୍ଧୁଙ୍କ ଏହି ମହାମିଳନ ୩୯ ବର୍ଷର ପୁରୁଣା ସ୍ମୃତିକୁ ପୁନର୍ଜୀବନ ଦେଇଥିଲା।
ଦୀର୍ଘ ୧୩ ବର୍ଷ ଧରି ନିରନ୍ତର ଅନୁଷ୍ଠିତ ହୋଇଆସୁଥିବା ଏହି ବନ୍ଧୁମିଳନରେ ସୁଦୂର ଦେଶ ମାଳଡିଭିସ, ନୂଆଦିଲ୍ଲୀ, ଝାରସୁଗୁଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ଭୁବନେଶ୍ୱର, ରେମୁଣା, କଟକ ସହ ବିଭିନ୍ନ ପ୍ରାନ୍ତରୁ ବନ୍ଧୁମାନେ ଯୋଗଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବନ୍ଧୁମାନେ ନିଜ-ନିଜର ସୁଖଦୁଃଖ, ସ୍ମୃତି ଓ ଅନୁଭବ ଆଦାନ-ପ୍ରଦାନ କରି ଆତ୍ମୀୟତାକୁ ଆହୁରି ଗାଢ଼ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବନ୍ଧୁମାନଙ୍କୁ ସମ୍ମାନିତ କରାଯିବା ଏହି ମହାମିଳନର ଏକ ନିଆରା ଆକର୍ଷଣ ଥିଲା।

ବନ୍ଧୁମିଳନ ଦିବଂଗତ ବନ୍ଧୁ ଓ ବନ୍ଧୁ ପୁତ୍ରମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା। ବନ୍ଧୁ ପ୍ରଦୀପ କୁମାର ରାଉତଙ୍କ ତତ୍ତ୍ୱାବଧାନ ଓ ବନ୍ଧୁ ପ୍ରତିଭା ରଞ୍ଜନ ମହାରଣାଙ୍କ ସୁଚାରୁ ପରିଚାଳନାରେ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ଅନୁଷ୍ଠିତ ହୋଇଥିଲା।
ଏହି ବନ୍ଧୁମିଳନରେ ସର୍ବଶ୍ରୀ ଅସୀମ କୁମାର ପାଲ, ସନ୍ତୋଷ ଡିଡ଼ୱାନିଆ, ପ୍ରହଲ୍ଲାଦ ଗୁପ୍ତା, ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରାକ୍ତନ ସମ୍ପାଦକ ସୁରେଶ କୁମାର ଅଗ୍ରୱାଲ, ପୂର୍ବତନ ଏସ.ଏସ.ଜି. ସମ୍ପାଦକ ରାଜ କିଶୋର ନାୟକ, ପର୍ଶୁରାମ ପ୍ରଧାନ, ନକୁଳ ବେହେରା, ପ୍ରଶାନ୍ତ ମିଶ୍ର, ରବୀନ୍ଦ୍ରନାଥ ବେହେରା, ଲକ୍ଷ୍ମଣ କୁମାର ପୃଷ୍ଟି, ସଞ୍ଜୟ କୁମାର ଜେନା, ଶୁକଦେବ ନାୟକ, ଦେବାନନ୍ଦ ପାଣି, ଅରୁଣ କୁମାର ବିଶ୍ୱାଳ, ଅଜୟ କୁମାର ମଲ୍ଲିକ, ସଚ୍ଚିଦାନନ୍ଦ ବେଉରିଆ, ବିଶ୍ୱନାଥ ଜେନା, ଗୌରଚନ୍ଦ୍ର ମହାନ୍ତି, କବି ସଞ୍ଜିତ ବଳ, ପ୍ରିୟବ୍ରତ ଦେବତା, ପ୍ରଫେସର ସୁରଥ ଦାସ, ବସନ୍ତ କୁମାର ପାଣି, ପ୍ରଦୀପ କୁମାର ନାୟକ, ନିଖିଲ କୁମାର ସ୍ୱାଇଁ, ଲୋକନାଥ ଦାସ, ଅଶୋକ କୁମାର ଜେନା, ସୁଶାନ୍ତ କୁମାର ନାୟକ ସହ ଅନେକ ବନ୍ଧୁ ଓ ବନ୍ଧୁପତ୍ନୀମାନେ ଉପସ୍ଥିତ ଥିଲେ।

ସଞ୍ଜୟ କୁମାର ଜେନା ଆଗାମୀ ବର୍ଷ ବନ୍ଧୁମିଳନ ଚଣ୍ଡିଖୋଲରେ କରିବାକୁ ପ୍ରସ୍ତାବ ରଖିଥିଲେ, ଯାହାକୁ ସମସ୍ତେ କରତାଳିରେ ସ୍ୱାଗତ କରିଥିଲେ। ଏହାସହ ୨୦୨୭ ମସିହାର ବନ୍ଧୁମିଳନ ଜାନୁଆରୀ ମାସର ଦ୍ୱିତୀୟ ରବିବାର ଦିନ କରାଯିବାକୁ ସମ୍ମତି ହୋଇଥିଲା।
ବନ୍ଧୁ ସୁରେଶ ଅଗ୍ରୱାଲ ସମସ୍ତଙ୍କୁ “ବନ୍ଧୁ ପାଇଁ ଦିନଟିଏ” ଦେବାକୁ ଆହ୍ୱାନ କରିଥିଲେ। ଶେଷରେ ପ୍ରଦୀପ କୁମାର ରାଉତ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।
