ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଇଛନ୍ତି। ସମାବେଶକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ନେତାଜୀଙ୍କୁ ଭାରତର ଜଣେ ମହାନ ସୁପୁତ୍ର ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନେତାଜୀଙ୍କ ଜନ୍ମସ୍ଥାନକୁ ତାଙ୍କର ଗସ୍ତକୁ ସେ ଗଭୀର ଭାବରେ ପ୍ରେରଣାଦାୟକ ବୋଲି କହିଥିଲେ। ସେ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ଭାରତର ସ୍ୱାଧୀନତା ପାଇଁ ଲଢ଼ି ନଥିଲେ ବରଂ ସ୍ୱାଧୀନତା ପରେ ଦେଶର ଶାସନ ପାଇଁ ତାଙ୍କର ଏକ ସ୍ପଷ୍ଟ ଦୃଷ୍ଟିକୋଣ ଥିଲା। ନେତାଜୀ ଭାରତକୁ ଏକ ମଜବୁତ, ଶକ୍ତିଶାଳୀ ଏବଂ ଦାରିଦ୍ର୍ୟମୁକ୍ତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପରିକଳ୍ପନା କରିଥିଲେ।
ଆଜାଦ ହିନ୍ଦ୍ ଫୌଜର ପରିକ୍ରମା ସଙ୍ଗୀତ ‘କଦମ କଦମ୍ ବଢ଼ାଏ ଯା’ର ଉତ୍ସାହ ଉଦ୍ରେକକାରୀ ସ୍ୱରକୁ ସ୍ମୃତିଚାରଣ କରି ଉପରାଷ୍ଟ୍ରପତି କହିଥିଲେ, ମଜବୁତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ନେତାଜୀଙ୍କର ଦୂରଦୃଷ୍ଟି ଦେଶକୁ ଲଗାତାର ପ୍ରେରଣା ଦେଇ ଆସୁଛି। ନେତାଜୀଙ୍କ ସାହସ, ଏକତା ଏବଂ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ଆଦର୍ଶରୁ ପ୍ରେରଣା ନେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ପାଇଁ ସାମୂହିକ ଭାବରେ ପ୍ରତିଜ୍ଞା କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ।
