ଯାଯପୁର: ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ କମ୍ପୁଛି ମନ୍ଦିର ପରିବେଶ । ଶ୍ରଦ୍ଧାଳୁମାନେ ବି ଲମ୍ବା ଧାଡ଼ିରେ ଠିଆ ହୋଇ ଯୋଡ଼ ହସ୍ତରେ ପ୍ରଭୁଙ୍କ ନାମ ସୁମରୁଛନ୍ତି । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ ପଡ଼ିଛନ୍ତି ଏକାକାର । ସେପଟେ ଧାଡି ବାନ୍ଧି ଯାଉଛନ୍ତି ମହିଳା ଓ ପୁରୁଷ । କଳସୀ ଧରି ନୂଆ ଶାଢୀ ପରିଧାନ କରି କଳସ ଯାତ୍ରାରେ ବାହାରିଛନ୍ତି ମହିଳାମାନେ । କାରଣ ଏଠାରେ ଚାଲିଛି କଳସ ଯାତ୍ରା ସହ ମହାଦେବଙ୍କ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରାଧାଦେଇପୁର ଠାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ମନ୍ଦିର ପ୍ରତିଷ୍ଠା ହେବା ଫଳରେ ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ଗତ ୨୩ ତାରିଖରୁ ୨୬ ତାରିଖ ୪ଦିନ ଧରି ଅନୁଷ୍ଠିତ ଏହି ସମାରୋହର ପ୍ରଥମ ଦିବସରେ ଅଙ୍କୁରାରୋପଣ, ଦ୍ଵିତୀୟ ଦିବସରେ କଳସ ଯାତ୍ରା, ଅଗ୍ନିସ୍ଥାପନ, ଶୋଡ଼ଷ ଉପଚାର ପୂଜା ଆଦି ଯଥା ବିଧି ସମ୍ପନ୍ନ ହୋଇଥିଲା । ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଗୋ ପୂଜା ସହ ଯଜ୍ଞାରମ୍ଭ କରାଯାଇଥିଲା । ଶେଷ ଦିବସରେ ଗୁରୁପୂଜା, ଯଜ୍ଞ କର୍ମ ସହ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଲିଙ୍ଗ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପଣ୍ଡିତ ବିଜୟ କୁମାର କରଙ୍କ ସଂଯୋଜନାରେ ଯଜ୍ଞ କାର୍ଯ୍ୟ ଯଥା ବିଧି କରାଯାଇ ରାତ୍ରରେ ପୂର୍ଣ୍ଣାହୁତି ଦିଆଯାଇଥିଲା ।
ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଧାଦେଇପୁର, ବିଲିକଣା, ଠାକୁରପାଟଣା, ବାଙ୍ଗରଗୁଣ୍ଠା, କୁଆଁରପୁର ସହ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଦୀର୍ଘ ବର୍ଷ ହେବ ଏହି ମନ୍ଦିର କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିଲା। ଶେଷରେ ରାଧାଦେଇପୁର ଗ୍ରାମର ଗ୍ରାମବାସୀଙ୍କ ଉଦ୍ୟମରେ ଏହି ମନ୍ଦିର କାର୍ଯ୍ୟ ସମ୍ପନ୍ନ ହେବା ସହ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଗାଁରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ସହଯୋଗ ସହିତ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ସହଯୋଗ କରିଥିଲେ ।
Also Read: ଭଙ୍ଗା ଦଦରା ଘରେ ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ ଜୀବନ, ଶିକ୍ଷା ବ୍ୟବସ୍ଥାରେ ଆସୁନି ସୁଧାର
