କଟକ : ଓଡିଶା ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟ ଅଦାଲତ ଅବମାନନା ନୋଟିସ ଜାରୀ କରିଛନ୍ତି। ଜିଲ୍ଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନଥିବାରୁ ତାଙ୍କୁ ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବ ନାହିଁ ସେ ନେଇ ଜବାବ ତଲବ କରିଛନ୍ତି ହାଇକୋର୍ଟ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ସେ ନେଇ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଅଦାଲତ।
୧୯୮୭ ମସିହାରେ ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପାଇଁ ଜାରୀ ହୋଇଥିଲା ବିଜ୍ଞପ୍ତି। ବିଜ୍ଞପ୍ତିର ଦୀର୍ଘ ବର୍ଷ ପରେ ଵି ଜମି ଅଧିଗ୍ରହଣ ହୋଇନାହିଁ, ଏପରିକି ଜମି ମାଲିକ ମାନଙ୍କୁ କୌଣସି କ୍ଷତିପୂରଣ ମଧ୍ୟ ମିଳିନାହିଁ।ତେବେ ପ୍ରସ୍ତାବିତ ଅଭୟାରଣ୍ୟ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାପାଇଁ ୨୦୨୪ ମସିହାରେ ନିର୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ଗତ ଡିସେମ୍ବର ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ମହଲତ ମଧ୍ୟ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନଥିବାରୁ କ୍ଷତିଗ୍ରସ୍ତ ଜମି ମାଲିକ ମାନେ ହାଇକୋର୍ଟଙ୍କ ନିକଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି।
