ଆଜି ଦୈନିକ ‘ପର୍ଯ୍ୟବେକ୍ଷକ’ ତାହାର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।
ଏହି ଉପଲକ୍ଷେ ପ୍ରତି ବର୍ଷପରି ଏବର୍ଷ ମଧ୍ୟ୍ୟ ଏକ ବିଶାଳ ରକ୍ତଦାନ ଶିବିର ର ସ୍ଥାନୀୟ ରେଡକ୍ରସ ଭବନ ରେ ଆୟୋଜନ କରାଯାଇଛି
ପ୍ରତିଷ୍ଠା ଦିବସ ସମାରୋହ କୁ ଆଗାମୀ ମେ ମାସରେ କରାଯିବାକୁ ନିଷ୍ପତି ନିଆଯାଇଛି
ଦୈନିକ ଖବରକାଗଜ ଭାବେ ପ୍ରକାଶ ପାଇବା ପୂର୍ବରୁ ‘ପର୍ଯ୍ୟବେକ୍ଷକ’ ଏକ ସାପ୍ତାହିକ ଖବରକାଗଜ ଭାବେ ବହୁ ବର୍ଷ ଧରି ନିଜର ସାମ୍ବାଦିକ ଦାୟିତ୍ୱ, କର୍ତ୍ତବ୍ୟ ଓ ନୀତିମୂଲ୍ୟକୁ ନିରବଚ୍ଛିନ୍ନ ଭାବେ ପାଳନ କରିଆସୁଥିଲା।
ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଅଟୁଟ ଭାବେ ସଂଗ୍ରାମ କରିଆସୁଥିବା ‘ପର୍ଯ୍ୟବେକ୍ଷକ’ ଅନେକ ସମୟରେ ଶାସନ, ପ୍ରଶାସନ, ପୁଞ୍ଜିପତି ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ରୋଷର ସମ୍ମୁଖୀନ ହୋଇଥିଲେ ମଧ୍ୟ କେବେବି ନିଜ ମୂଳ ଲକ୍ଷ୍ୟ ଓ ଆଦର୍ଶ ପଥରୁ ବିଚ୍ୟୁତ ହୋଇନାହିଁ।
ସାଧାରଣ ଲୋକଙ୍କ ପାଇଁ ଖବର ସଂଗ୍ରହ କରିବା କେବଳ ଏକ ସାଧାରଣ କାର୍ଯ୍ୟ ନୁହେଁ; ଏହା ଏକ ଅସାଧାରଣ ଓ ଦୁଃସାହସିକ ଅଭିଯାନ ସହ ସମତୁଳ୍ୟ। କାରଣ ‘ପର୍ଯ୍ୟବେକ୍ଷକ’ ସର୍ବଦା ସାଧାରଣ ଜନତାଙ୍କର ଖବରକାଗଜ। ପ୍ରଥମ ପ୍ରକାଶନ ସମୟରେ ଏହାର ବିକ୍ରୟ ମୂଲ୍ୟ ଥିଲା ଟଙ୍କା ୧.୫୦ ପଇସା, ଯାହା ଆଜି ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି। ଏଥିପାଇଁ ପତ୍ରିକାକୁ ପ୍ରଚୁର ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ପ୍ରତି ଦାୟିତ୍ୱରୁ କେବେବି ପଛୁଆ ହୋଇନାହିଁ।
୨୮ ବର୍ଷ ପୂର୍ବରୁ ‘ପର୍ଯ୍ୟବେକ୍ଷକ’ ଯେପରି ସାଧାରଣ ଜନତାଙ୍କର ଖବରକାଗଜ ଥିଲା, ୨୮ ବର୍ଷ ପରେ ମଧ୍ୟ ସେହିଭଳି ଅଛି ଓ ଆଗାମୀ ଦିନରେ ମଧ୍ୟ ରହିବ। ଜନସାଧାରଣ ହିଁ ଏହାର ପ୍ରକୃତ ମାଲିକ ଓ ପୃଷ୍ଠପୋଷକ।
ମହାମାରୀ କରୋନାର ଭୟାବହ ସଙ୍କଟମୟ ପରିସ୍ଥିତି ସତ୍ତ୍ୱେ ‘ପର୍ଯ୍ୟବେକ୍ଷକ’ ତାହାର ଡିଜିଟାଲ ଓ ୱେବ୍ ସଂସ୍କରଣର ଶୁଭାରମ୍ଭ କରି ସମୟ ସହ ତାଳମେଳ ରଖି ଆଗକୁ ବଢ଼ିଥିଲା। ଘୋର ଆର୍ଥିକ ସଙ୍କଟ ସତ୍ତ୍ୱେ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ନିଷ୍ଠାର ସହ କାମ କରିଆସୁଛି।
ପତ୍ରିକାକୁ ଆହୁରି ସୁଚାରୁ, ସୁସଂଗଠିତ ଓ ସଶକ୍ତ ଭାବେ ଆଗକୁ ନେବା ଉଦ୍ଦେଶ୍ୟରେ ପରିଚାଳନା ମଣ୍ଡଳୀ ନୂଆ ଦିଲ୍ଲୀ ରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟ କୁମାର ଦାସଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଓ ଶ୍ରୀ ପ୍ରିୟବ୍ରତ ନାୟକ ଙ୍କୁ ପ୍ରକାଶକ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ଦାସ ଭାରତୀୟ ଜନସଂଚାର ସଂସ୍ଥାନର ପୁରାତନ ଛାତ୍ର ଏବଂ ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ ଗଣମାଧ୍ୟମ ପରିଚାଳନା କ୍ଷେତ୍ରରେ ଦୁଇ ଦଶକରୁ ଅଧିକ ଅଭିଜ୍ଞତା ରଖିଛନ୍ତି। ସେ ଜାତୀୟ, ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଗଣମାଧ୍ୟମରେ ସଫଳତାର ସହିତ ଦାୟିତ୍ୱପୂର୍ଣ୍ଣ ପଦବୀରେ କାମ କରିଆସିଛନ୍ତି।
ଶ୍ରୀ ନାୟକ ସମାଜସେବାରେ ସ୍ନାତକତ୍ତର ଯୋଗ୍ୟତା ସହ ପ୍ରବନ୍ଧନ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞାତା ହାସଲ କରିଛନ୍ତି
ଦୈନିକ ‘ପର୍ଯ୍ୟବେକ୍ଷକ’ ଓ ‘ଦି କଳିଙ୍ଗ କ୍ରୋନିକଲ’ ସମୂହର କାର୍ଯ୍ୟକାରୀ ସମ୍ପାଦକ ଭାବେ ଶ୍ରୀ ଦାସ ଓ ଦୈନିକ ପର୍ଯ୍ୟବେକ୍ଷକ ର ପ୍ରକାଶକ ଭାବେ ଶ୍ରୀ ନାୟକ ଅଗଣିତ ପାଠକ–ପାଠିକା, ଲେଖକ–ଲେଖିକା, ଶୁଭେଚ୍ଛୁ, ବିଜ୍ଞାପନଦାତା, ବିତରକ ବନ୍ଧୁ ଓ ସହକର୍ମୀମାନଙ୍କର ଆସ୍ଥା ଭାଜନ ହେବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ.
ଏହି ପୁଣ୍ୟ ପ୍ରତିଷ୍ଠା ଦିବସ ଅବସରରେ ‘ପର୍ଯ୍ୟବେକ୍ଷକ’ ପରିବାର ତାହାର ସମସ୍ତ ପାଠକ–ପାଠିକା, ଲେଖକ–ଲେଖିକା, ସମ୍ବାଦଦାତା, ବିଜ୍ଞାପନଦାତା, କର୍ମଚାରୀ ବୃନ୍ଦ, ବିତରକ ବନ୍ଧୁ ଓ ସର୍ବୋପରି ଓଡ଼ିଶାର ଜନସାଧାରଣ ସହ ଦେଶ–ବିଦେଶରେ ବସବାସ କରୁଥିବା ସମସ୍ତ ଓଡ଼ିଆ ଭାଇ–ଭଉଣୀଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସୁସ୍ଥ, ନିରାମୟ, ସ୍ୱାବଲମ୍ବୀ ଓ ସମୃଦ୍ଧ ଜୀବନ କାମନା କରୁଛି।
ଜୟ ଜଗନ୍ନାଥ
ବନ୍ଦେ ଉତ୍କଳ ଜନନୀ
ଡାକ୍ତର ପବିତ୍ର ମୋହନ ସାମନ୍ତରାୟ
ମୁଖ୍ୟ ସମ୍ପାଦକ
ଦୈନିକ ‘ପର୍ଯ୍ୟବେକ୍ଷକ’ ଓ ଦି କଳିଙ୍ଗ କ୍ରୋନିକଲ ସମୂହ
