ବାସୁଦେବପୁର: ସମସ୍ତଙ୍କ ଆଖିରେ ଧାର ଧାର ଲୁହ । କୋହକୁ ସମ୍ଭାଳି ପାରୁନାହାନ୍ତି କେହି । କାନ୍ଦି କାନ୍ଦି କିଏ ତଳେ ଗଡ଼ିଯାଉଛି ତ କିଏ ମୁଣ୍ଡ ପିଟୁଛି । ଏ ହୃଦୟବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପୁଣି ଯୌତୁକଜନିତ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ସବୁବେଳେ ଝିଅକୁ ଦିଆଯାଉଥିଲା ନିର୍ଯାତନା । ଶେଷରେ ଯୌତୁକ ପାଇଁ ଝିଅର ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଂଚାୟତ ନନ୍ଦଘେରି ୪୦ ଚେନ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ସୁବଳ ଦାସଙ୍କ ପୁଅ ସଂଜୀବ ସେହି କିସ୍ମତ କୃଷ୍ଣପୁର ପଞ୍ଚାୟତର କୃଷ୍ଣପୁର ଗାଁର ଅର୍ଜୁନ ସେଠୀଙ୍କ ଝିଅ ସସ୍ମିତା ସେଠିଙ୍କୁ ଭଲ ପାଇ ଘରୁ ନେଇ ପଲାଇ ଯାଇଥିଲେ । ପରେ ଦୁଇ ପରିବାର ଭଦ୍ର ଲୋକଙ୍କ ସାହାଯ୍ୟରେ ବିଚାର କରି ବାସୁଦେବପୁରସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଉଭୟଙ୍କ ବିବାହ କରାଇଥିଲେ । ଗତ ବର୍ଷ ଏପ୍ରିଲ ୨୯ ତାରିଖ ଦିନ ଦୁହିଁଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ଯାଏଁ ହସଖୁସିରେ ଚଳୁଥିଲେ ପରିବାର । କିନ୍ତୁ ହଠାତ ସଂଜୀବର ପରିବାର ଲୋକ ସସ୍ମିତାଙ୍କୁ ପାଖରେ ଯୌତୁକ ପାଇଁ ଦାବି କରି ବସିଲେ । ଏନେଇ ସସ୍ମିତା ନିଜ ବାପାଙ୍କୁ ଜଣାଇଥିଲେ । ଝିଅ ମୁହଁକୁ ଚାହିଁ କିଛି ଯୌତୁକ ଦେଇଥିଲେ ସସ୍ମିତାଙ୍କ ପରିବାର । କିନ୍ତୁ ସଂଜୀବଙ୍କ ପରିବାର ଲୋକେ ସେଥିରେ ସନ୍ତୁଷ୍ଟ ହୋଇନଥିଲେ । ଓଲଟା ଅଧିକ ଯୌତୁକ ଦାବି କରି ସଂଜୀବର ପରିବାର ଲୋକ ସସ୍ମିତାକୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା’ ବାସନ୍ତୀ ସେଠି ।
ଗତ କାଲି ଅର୍ଥାତ ଫେବ୍ରୁଆରୀ ୬ ତାରିଖ ଦିନ ଝିଅ ଜୀବନ ହାରିଥିବା ଖବର ଶୁଣିବା ପରେ ଦୌଡ଼ି ଆସିଥିଲେ ସସ୍ମିତାଙ୍କ ପରିବାର ଲୋକେ । ଘରେ ଆସି ଦେଖନ୍ତି ତ ଝିଅ ଦେହରେ ଆଉ ଜୀବନ ନଥିଲା । ଝିଅକୁ ଅଧିକ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ କରି ନାୟିକାଣ ଢିହି ଥାନାରେ ମା ବାସନ୍ତୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ସସ୍ମିତାଙ୍କ ଶ୍ବଶୁରଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।
ପୋଲିସ ଖବର ପାଇ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ମୃତ ସସ୍ମିତାର ଶ୍ବଶୁର ସୁବଳ ଦାସଙ୍କୁ ପୋଲିସ ଅଟକ ରଖିଥିବା ବେଳେ ସ୍ୱାମୀ ସଂଜୀବ ଫେରାର ହୋଇଥିବା ଜଣାପଡିଛି । କହି ରଖୁଛୁ ମୃତ ସସ୍ମିତାଙ୍କର ଏକ ଅଡ଼େଇ ମାସର ଶିଶୁ ପୁତ୍ର ଅଛି । ସେପଟେ ଝିଅକୁ ହରାଇ ମା ବାସନ୍ତୀ ଓ ପରିବାର ଲୋକ ନ୍ୟାୟ ପାଇଁ ଘର ଆଗରେ ମୁଣ୍ଡ ପିଟି କାନ୍ଦୁଛନ୍ତି ।
