ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଜାମୁଶଳୀ ଅବସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭବ୍ୟ ଓ ଉତ୍ସାହମୟ ପରିବେଶରେ ଆରମ୍ଭ ହୋଇଛି।
ଏହି ଉଦ୍ଘାଟନୀ ଉତ୍ସବ ରେ ଜଳେଶ୍ୱର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ଅଧ୍ୟକ୍ଷ ଓ ପର୍ଯ୍ୟବେକ୍ଷକ ଏବଂ ଦ କଳିଙ୍ଗ କ୍ରୋନିକଲ ର ଏଡିଟର-ଇନ-ଚିଫ ଡ଼ଃ ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଉତ୍ତର ବାଲେଶ୍ୱର ବିଜେପି ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ପଣ୍ଡା ଓ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପାତ୍ର ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ଛାତ୍ରଛାତ୍ରୀଙ୍କ ମଧୁର ସ୍ୱାଗତ ସଙ୍ଗୀତ ସହ ହୋଇଥିଲା, ପରେ ଇପ୍ସିତା ପରିଡାଙ୍କ ଦ୍ୱାରା ପବିତ୍ର ବେଦ ପାଠ ପରିବେଶକୁ ଆଧ୍ୟାତ୍ମିକ ମାହୋଲ ଦେଇଥିଲା। ଅଧକ୍ଷ୍ୟ ଶ୍ରୀ ଦିବ୍ୟେନ୍ଦୁ ଗିରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଦେବବ୍ରତ ଦାସ ବାର୍ଷିକ ପ୍ରତିବେଦନ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଜିତ କୁମାର ଭୂଏଁ ସୁନ୍ଦର ଭାବେ ସଂଚାଳନ କରିଥିଲେ।
ଉତ୍ସବରେ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲି ସାମନ୍ତଙ୍କ ମନୋମୋହନୀ ଓଡ଼ିଶୀ ନୃତ୍ୟ ସହ ଛାତ୍ରଛାତ୍ରୀ, କର୍ମଚାରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସାଙ୍ଗୀତିକ ଓ ସାଂସ୍କୃତିକ ପ୍ରଦର୍ଶନୀ ଦର୍ଶକମାନଙ୍କୁ ମୋହିତ କରିଥିଲା। ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ ଶିଳ୍ପୀମାନଙ୍କ ସଙ୍ଗୀତ ଆସର ଉପସ୍ଥିତ ଦର୍ଶକମାନଙ୍କୁ ମନମୁଗ୍ଧ କରିଦେଇଥିଲା।
ଶେଷରେ ଅଧ୍ୟାପକ ସୁକାନ୍ତ କୁମାର ଗିରି ଧନ୍ୟବାଦ ଜଣାଇଥିଲେ।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନ୍ତର୍ଗତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସହ ଏହା ଫେବୃଆରୀ ୧୦ ତାରିଖରେ ସମାପ୍ତ ହେବ।
