କ୍ବାଲାଲମ୍ପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇଥିବାବେଳେ ରବିବାର କ୍ୱାଲାଲମ୍ପୁରଠାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ମୋଦୀ ଏହି ଅବସରରେ ଆତଙ୍କବାଦର ତୀବ୍ର ସମାଲୋଚନା କରିଥିଲେ। ଅନୱରଙ୍କ ସହିତ ମିଳିତ ପ୍ରେସ୍ ବିବୃତିରେ ଆତଙ୍କବାଦକୁ ବିଶ୍ବଶାନ୍ତି ପାଇଁ ସବୁଠୁ ବଡ଼ ବିପଦ ବୋଲି କହିବା ସହିତ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ସହଯୋଗ ଉପରେ ଚର୍ଚ୍ଚା କରିବା ସମୟରେ ସ୍ପଷ୍ଟ କରିଥିଲେ ଯେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ କୌଣସି ପ୍ରକାର ନରମ ମନୋଭାବ ପୋଷଣ କରିବ ନାହିଁ। ଆତଙ୍କବାଦର ମୁକାବିଲା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଦୋହରାଇ କହିଛନ୍ତି, ଆତଙ୍କବାଦ ସମ୍ପର୍କରେ ଆମର ବାର୍ତ୍ତା ସ୍ପଷ୍ଟ ରହିଛି,ଏଥିରେ ଦୋମୁହାଁ ନୀତି କିମ୍ବା କୌଣସି ବୁଝାମଣା ଚଳିବ ନାହିଁ।ରବିବାର ଭାରତ-ମାଲେସିଆ ଅଡିଓ-ଭିଜୁଆଲ୍ ସହ-ଉତ୍ପାଦନ, ବିପର୍ଯ୍ୟୟ ପରିଚାଳନା ସହଯୋଗ, ଦୁର୍ନୀତି ବିରୋଧରେ ଲଢ଼ିବା, ଜାତିସଂଘର ଶାନ୍ତିରକ୍ଷା, ସେମିକଣ୍ଡକ୍ଟର ସହଯୋଗ ପରି ୬ଟି କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି। ଯେଉଁଥିରେ ଉଭୟ ନେତା ସାଂସ୍କୃତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆର ଶିକ୍ଷା, ଗଣମାଧ୍ୟମ ଏବଂ ସାଂସ୍କୃତିକ ଜୀବନରେ ବ୍ୟାପକ ସ୍ତରରେ ତାମିଲ ଭାଷାର ଉପସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ, ଯାହା ଉଭୟ ଦେଶ ମଧ୍ୟରେ ଏକ ଦୃଢ଼ ଜନସମ୍ପର୍କକୁ ପ୍ରତିଫଳିତ କରେ।
