ମାଲକାନଗିରି : ମାଲକାନଗିରିରେ ଗଞ୍ଜେଇ ତେଲ ପ୍ରସ୍ତୁତ କାରଖାନା ଠାବ । ଚିତ୍ରକୋଣ୍ଡାର ବଡପଦର ଗାଁରେ କାରଖାନା ଠାବ ହୋଇଛି । ୪ଜଣ ଗଞ୍ଜେଇ ତେଲ ପ୍ରସ୍ତୁତକାରୀ ଗିରଫ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ତେଲ ଚୋରା ଚାଲାଣକାରୀ ଅଛନ୍ତି । ଏହା ସହ ଦୁଇ ଲିଟର ଗଞ୍ଜେଇ ତେଲ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ ।
ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି SP ବିନୋଦ ପାଟିଲ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ସିଲିଣ୍ଡ୍ରିକାଲ୍ ପ୍ରକ୍ରିୟାକରଣ କଣ୍ଟେନର ସହିତ ସଜ୍ଜିତ ଲୁହା ତିଆରି ମେସିନ୍, ପ୍ରେସର୍ କୁକର୍, ଲୁହା ତିଆରି କମ୍ପ୍ରେସର, ପାଇପ୍, ସିଲିଣ୍ଡର ଏବଂ ପ୍ଲାଷ୍ଟିକ୍ ଡ୍ରମ୍ ସହିତ ସଜ୍ଜିତ ଗ୍ୟାସ୍ ବର୍ନର ଜବତ କରିଛି ପୋଲିସ ।
ଗତ ୪ ମାସରେ ମାଲକାନଗିରି ପୋଲିସ ଦ୍ୱାରା ସାଢ଼େ ୭ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି । ଯାହା ଦେଶରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ । ଆଗାମୀ ଦିନରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ମାଲକାନଗିରି SP ହେଲ୍ପଲାଇନ୍ ନମ୍ବର ୯୪୩୮୯୧୬୯୭୨ ଆରମ୍ଭ କରିଛନ୍ତି ଏବଂ ଗଞ୍ଜେଇ ତେଲ ନେଟୱାର୍କକୁ ରୋକିବା ପାଇଁ ମାଲକାନଗିରି ପୋଲିସକୁ ସହାୟତା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
