ଜିଲ୍ଲାରେ ପୁଣି ଥରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରି ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। କୋଲନରା ବ୍ଲକ କେଲିଗୁଡା ପଂଚାୟତ ପାଇକପଡା ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ପାତାଳେଶ୍ୱର ମନ୍ଦିର ନିକଟରେ ଆଜି ମାଓବାଦୀଙ୍କ ପକ୍ଷରୁ ଏକ ନାଲି ରଙ୍ଗର ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ସାମ୍ନାରେ ମହାଶିବରାତ୍ରି ପର୍ବ ଥିବା ବେଳେ ଏହି ପବିତ୍ର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି। ଠିକ୍ ଏହି ସମୟରେ ମାଓ ପୋଷ୍ଟର ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସି.ପି.ଆଇ (ମାଓବାଦୀ) ସଂଗଠନ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନରରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସଭ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ବି ଆଦିବାସୀ ନଥିଲେ। ଏମାନେ ଆଦିବାସୀଙ୍କୁ ନକ୍ସଲ ସଂଗଠନରେ ରଖି ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ଏହାର କଡ଼ା ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘଜାନୀ, ଡମ୍ବାଇ ମାଝୀ ଓ ମାଓ ସଂଗଠନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉଲ୍ଲେଖ କରାଯିବା ସହ ଶେଷରେ ‘ଲାଲ ସଲାମ’ ଲେଖାଯାଇଛି। କେବଳ ସେତିକି ନୁହେଁ, ଆଦିତ୍ୟ ବିର୍ଲା କମ୍ପାନୀ କେବିକେ ଅଞ୍ଚଳର ଲୋକଙ୍କୁ ଶୋଷଣ କରୁଥିଲେ ମଧ୍ୟ ସରକାର ନୀରବ ରହୁଥିବାରୁ ସଂଗଠନ ପକ୍ଷରୁ କମ୍ପାନୀକୁ ତୀବ୍ର ବିରୋଧ କରାଯାଇଛି।
ପୂର୍ବରୁ ଅନେକ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ରାୟଗଡ଼ା ଜିଲ୍ଲା ଶାନ୍ତ ପଡ଼ିଥିବା ଅନୁମାନ କରାଯାଉଥିଲା। ମାତ୍ର ଆଜିର ଏହି ଘଟଣା ପ୍ରମାଣିତ କରୁଛି ଯେ ମାଓବାଦୀମାନେ ଏବେ ବି ଜିଲ୍ଲାରେ ସକ୍ରିୟ ଅଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାନରଟିକୁ ଜବତ କରିଛି। ମହାଶିବରାତ୍ରି ପୂର୍ବରୁ ଏହି ପୋଷ୍ଟରବାଜି ପୋଲିସ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
