ରାୟଗଡ଼ା: ସ୍ଥାନୀୟ ପିତାମହଲ ସ୍ଥିତ ସେଞ୍ଚୁରୀଆନ ବିଶ୍ୱବିଦ୍ୟାଳୟ (ସିୟୁଟିଏମ) ପରିସରରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ‘ସେନଫେଷ୍ଟ ୧୨.୦’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। “ଜୀବନ ଗଠନ ଏବଂ ସମାଜର ସଶକ୍ତିକରଣ” ବାର୍ତ୍ତାକୁ ପାଥେୟ କରି ଆୟୋଜିତ ଏହି କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟର ସଫଳତା ଓ ପ୍ରତିଭାର ଏକ ସୁନ୍ଦର ଝଲକ ପ୍ରଦର୍ଶନ କରିଥିଲା। ଅଧ୍ୟାପକ ପେଲ୍ଲୁରି ରବିତେଜାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହକୁ ଆନ୍ଧ୍ରପ୍ରଦେଶ କ୍ୟାମ୍ପସର କୁଳପତି ଡ଼ଃ. ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିଦ୍ ପ୍ରଫେସର ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଢ଼ୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।
ରାୟଗଡ଼ା କ୍ୟାମ୍ପସର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ରାଜେଶ କୁମାର ପାଢ଼ୀଙ୍କ କୁଶଳୀ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ଡ଼. ଉର୍ମିଳା କାଟେଙ୍କ ଦ୍ୱାରା ଉପସ୍ଥାପିତ ବାର୍ଷିକ ବିବରଣୀ ଅନୁଯାୟୀ, ଫାର୍ମାସୀ ବିଭାଗରେ ୧୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦% ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୦୨୩ରେ ଆରମ୍ଭ ହୋଇଥିବା ନର୍ସିଂ ବିଭାଗର ପ୍ରଥମ ବ୍ୟାଚ୍ ୯୮% ସଫଳତା ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଅବସରରେ ଛାତ୍ରୀ ଏ. ଶ୍ୱେତା ସାଚିକା ୯.୪୬ ସିଜିପିଏ (CGPA) ସହ ବିଶ୍ୱବିଦ୍ୟାଳୟର ଚାରୋଟିଯାକ କ୍ୟାମ୍ପସ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି କ୍ୟାମ୍ପସ ପାଇଁ ଗୌରବ ଆଣିଛନ୍ତି।
କେବଳ ଏକାଡେମିକ୍ ସଫଳତା ନୁହେଁ, ବରଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବିଶ୍ୱବିଦ୍ୟାଳୟ ବାଜିମାତ କରିଛି। ଚଳିତ ବର୍ଷ ୪୩ ଜଣ ବି.ଫାର୍ମ ଛାତ୍ରଛାତ୍ରୀ ଡ଼ଃ. ରେଡ୍ଡୀ ଲାବୋରାଟୋରିଏସ ଓ ଭାରତ ବାୟୋଟେକ ଭଳି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ସେହିପରି ସରକାରୀ ସେବା କ୍ଷେତ୍ରରେ ମଧ୍ୟ କ୍ୟାମ୍ପସର ୬ ଜଣ ଛାତ୍ରଛାତ୍ରୀ ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସେଲେକ୍ସନ କମିଶନ (OSSSC) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଫାର୍ମାସୀ ଅଫିସର ଓ MPHW ଭାବେ ନିଜର ସ୍ଥାନ ପକ୍କା କରିଛନ୍ତି।
ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ହେଲଥ କେୟାର ଅନ ହୁଇଲ୍ସ’ (Health Care on Wheels) ଯୋଜନା ମାଧ୍ୟମରେ ଦୁର୍ଗମ ଆଦିବାସୀ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ବିଶ୍ୱ ଏଡ୍ସ ଦିବସ ଅବସରରେ ୧୫୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀଙ୍କ ସଚେତନତା ଶୋଭାଯାତ୍ରା ଏବଂ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଶ୍ରୀ ପାଢ଼ୀ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା।
