ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କଲେ ତାରିକ ରହମାନ୍ । ବକେୟା ଦେୟ ନଥିବାରୁ ବାଂଲାଦେଶ ଭାରତୀୟ ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ ବାରଣ କରିଛନ୍ତି । ଏବେ କୋଲକାତାରୁ ଗୌହାଟି ଏବଂ ଇମ୍ଫାଲକୁ ଯାଉଥିବା କିଛି ବିମାନ ଲମ୍ବା ରୁଟ୍ ନେବାକୁ ବାଧ୍ୟ ହେଉଛନ୍ତି । ଏହା ଉଡ଼ାଣ ସମୟ ଏବଂ ପରିଚାଳନା ଖର୍ଚ୍ଚ ବଢ଼ାଇଛି ।
ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବିମାନ କମ୍ପାନୀ ନାଭିଗେସନ ଫି ସମେତ ପରିଚାଳନାଗତ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ଅଛି । ସମାଧାନ ପାଇଁ ଗଠନମୂଳକ ଭାବରେ କାର୍ଯ୍ୟ କରାଯାଉଛି ଏବଂ ନିୟମ ଅନୁଯାୟୀ ସିଡ୍ୟୁଲ ବିମାନ ସେବା ଜାରି ରହିଛି ।
ସମସ୍ତ ବିମାନ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପରିଚାଳିତ ହେଉଛି । ଯାତ୍ରୀମାନେ ପ୍ରଭାବିତ ହୋଇନାହାନ୍ତି । ଆକାଶ ମାର୍ଗ ବନ୍ଦ ହେବା ଯୋଗୁଁ, କିଛି ବିମାନକୁ ବିକଳ୍ପ ରାସ୍ତା ନେବାକୁ ପଡୁଛି । ତେବେ ସ୍ପାଇସଜେଟ୍ କେତେ ବକେୟା ପୈଠ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
