ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବାକୁ ବଡ଼ ପଦକ୍ଷେପ । ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀ ଏୟାରଟେଲ ଏବଂ ସିକେ-୧୨ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ଆପ ଆରମ୍ଭ କରାଯାଇଛି । ଏହି ଏଆଇ ଚାଳିତ ଆପ ଶିକ୍ଷକମାନଙ୍କୁ ଆଧୁନିକ ଶିକ୍ଷାଦାନ ପାଇଁ ଏକ ସଶକ୍ତ ମାଧ୍ୟମ ଯୋଗାଇଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଆଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ସହଜ କରିବା ସହ ଶିକ୍ଷକମାନଙ୍କ ପାଇଁ ଏକ ଡିଜିଟାଲ୍ ସହଯୋଗୀ ଭାବେ କାର୍ଯ୍ୟ କରିବ ।
ଏହା ମାଧ୍ୟମରେ ଶିକ୍ଷକମାନେ ଗୁଣାତ୍ମକ କଣ୍ଟେଣ୍ଟ୍, ଶିକ୍ଷାଦାନ ଉପକରଣ ଏବଂ ଛାତ୍ରଛାତ୍ରୀଙ୍କ ପ୍ରଗତି ଜାଣିବା ପାଇଁ ସ୍ୱତନ୍ତ୍ର ଡ୍ୟାସବୋର୍ଡର ସୁବିଧା ପାଇବେ । ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ‘ଫୋର୍ସ ମଲ୍ଟିପ୍ଲାୟର୍’ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହି ପ୍ଲାଟଫର୍ମରେ ସୋଭେରେନ୍ ଏଲ୍ଏଲ୍ଏମ୍ ବ୍ୟବହାର କରିବା ସହ ତାଲିମ ଉପକରଣଗୁଡ଼ିକୁ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।
