ଟାଙ୍ଗୀ: ଦୋଳ ମେଳଣ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ । ପ୍ରକମ୍ପିତ ହୋଇ ଉଠୁଛି ଦୋଳ ପଡିଆ । ଠାକୁରମାନଙ୍କୁ ଏକାଠି ପାଇ ଭକ୍ତ ମାନଙ୍କର ଖୁସି କାହିଁରେ କେତେ । ଦୋଳ ମଣ୍ଡପରେ ଭକ୍ତମାନେ ପ୍ରଭୂଙ୍କୁ ଅବିର ଲାଗି କରିବା ସହ ଲାଭ କରୁଛନ୍ତି ପ୍ରଭୂ କୃପା । ଏହା ସହ ଦୋଳ ପଡିଆରେ ମେଳିଛି ଭଳିକି ଭଳି ପସରା। କିଏ ନିଜ ସାଙ୍ଗ ସାଥିଙ୍କ ସହ ଚାଟ ଖାଇ ମଜା ନେଉଛି ତ,କିଏ ପିଲାମାନଙ୍କୁ ଦୋଳିରେ ବସାଇ ଖେଳ କୁଦର ମଜା ନେବାରେ ଲାଗିଛି ।
ଓଡିଆ ପାଇକ ମାନଙ୍କର ବିରତ୍ୱର ଗାଥା ବହନ କରୁଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଆନନ୍ଦ ଉଲ୍ଲାସର ସହ ଫୁଲଦୋଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ୨୧୯ ବର୍ଷ ଅତିକ୍ରମ କରି ସାରିଛି ଟାଙ୍ଗୀ ଫୁଲ ଦୋଳ ମେଳଣ । ସର୍ବ ପ୍ରଥମେ ଦୋଳ ପୂର୍ଣମୀ ପୂର୍ବରୁ ଏହି ଦୋଳ ମେଳଣ ଅନୁଷ୍ଠିତ ହୁଏ । ଏହି ଦୋଳ ମେଳଣ ପରେ ଓଡ଼ିଶାରେ ପଞ୍ଚୁ ଦୋଳ, ଦଶ ଦୋଳ, ବାର ଦୋଳ ଭଳି ଅନେକ ମେଳଣ ଅନୁଷ୍ଠିତ ହୁଏ । ଏଭଳି ମେଳଣ ଓଡିଶାରେ ବିରଳ । ଟାଙ୍ଗୀର ଦୋଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏହି ଦୋଳ ଉତ୍ସବ।
୧୮୦୭ ମସିହାରେ ଆରମ୍ଭ ହୋଇଥିବା ଫୁଲ ଦୋଳ ମେଳଣ ଉତ୍ସବ ଏବେ ୨୦୨୬ ମସିହାରେ ପହଁଚିଛି । ନାହାନ୍ତି ପାଇକ କି ଶୁଭୁନାହିଁ ପାଇକ ମାନଙ୍କର ରଣ ହୁଙ୍କାର । ତଥାପି ସେହି ପାଇକମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟାଙ୍ଗୀ ଫୁଲ ଦୋଳ ମେଳଣକୁ ଆଜି ବି ଉଜ୍ଜୀବିତ କରି ରଖିଛନ୍ତି ପାଇକଙ୍କ ଦାୟାଦ । ଏହା ଓଡିଶାର ସର୍ବ ପ୍ରଥମ ଫୁଲ ଦୋଳ ଭାବେ ମାନ୍ୟତା ପାଇଛି । ପାଇକମାନଙ୍କ ରାଜୁତି ସମୟରେ କୁହୁଡି, ସୋରଣ, ଜରିପଡା, ବଡପାରୀ, ଭଜାଗଡ଼ ଓ ଓରଡ଼ ଗଡ଼କୁ ନେଇ କୁହୁଡି ଛଗଡ଼ ଗଠନ ହୋଇଥିଲା । ସେହି ସମୟରୁ କୁହୁଡି ଛଗଡ଼ର ଦେବା ଦେବୀମାନଙ୍କୁ ଟାଙ୍ଗିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବ ନିମନ୍ତ୍ରଣ କରିବାର ରହିଛି ପରମ୍ପରା । ନିମନ୍ତ୍ରଣ ପାଇବା ପରେ ଚୈତ୍ର ମାସ ତ୍ରୟୋଦଶୀ ତିଥିରେ କୁହୁଡି ଛଗଡ଼ ର ଦେବାଦେବୀମାନଙ୍କୁ ପାଟ ପଟୁଆର ସହ ବାଜା ବାଣ ବଜାଇ ଶୋଭାଯାତ୍ରାରେ ପାଛୋଟି ଆଣନ୍ତି ଭକ୍ତ । ତ୍ରୟୋଦଶୀ ତିଥି ରାତିରେ ଦୋଳ ମଣ୍ଡପରେ ପ୍ରଥମେ ରାଜା ଭାବେ ଶ୍ରୀ ଲୋକନାଥ ଦେବ ଓ ପରେ ମନ୍ତ୍ରୀ ଭାବେ ଟାଙ୍ଗୀର ଶ୍ରୀ ବାଲୁଙ୍କେଶ୍ୱର ଦେବ ଆସ୍ଥାନ ଜମାନ୍ତି । ରାଜା ଓ ମନ୍ତ୍ରୀ ଦୋଳ ବେଦୀରେ ଆସୀନ ହେବା ପରେ ଅନ୍ୟ ଦେଵୀ ଦେବତା ମାନେ ଆସୀନ ହେବାର ରହିଛି ଅପୂର୍ବ ବିଧି। ଗୋଟିଏ ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ ଠାକୁର ଠାକୁରାଣୀଙ୍କ ମହା ମେଳଣରେ ମେଳଣ ପଡିଆ ଲୋକାରଣ୍ୟରେ ଭରପୁର ହୋଇଉଠେ ।
ଦିନକୁ ଦିନ ଫୁଲ ଦୋଳର ବଢୁଛି ଲୋକ ପ୍ରିୟତା । ତେଣୁ ଫୁଲ ଦୋଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଆଗକୁ ଅନୁଷ୍ଠାନ ଓ ସ୍ଥାନୀୟ ଅଂଚଳବାସୀ ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।
