କୁଏତ : କୁଏତରେ ଥିବା ଆମେରିକା ଦୂତାବାସ ଉପରକୁ ଆକ୍ରମଣ । ଇରାନର ଡ୍ରୋନ୍ ଓ ମିସାଇଲ ମାଡ଼ । ସୋମବାର ସକାଳେ କୁଏତ ସିଟିରେ ଥିବା ଆମେରିକା ଦୂତାବାସ ପରିସରରୁ କଳା ଧୂଆଁ ଓ ନିଆଁ ବାହାରୁଥିବା ଦେଖାଯାଇଛି । ଇରାନ ପକ୍ଷରୁ କରାଯାଇଥିବା ବଡ଼ ଧରଣର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏହା ଫଳରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗୁରୁତର ରୂପ ନେଇଛି ।
ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଦୂତାବାସ ପରିସରରୁ ପ୍ରବଳ ଧୂଆଁ ବାହାରୁଛି । ଘଟଣାସ୍ଥଳକୁ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପଠାଯାଇଛି । ଏହା ଏକ ସିଧାସଳଖ ଆକ୍ରମଣ ବୋଲି କୁହାଯାଉଥିଲେ ମଧ୍ୟ ଆମେରିକା ଦୂତାବାସ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଆମେରିକା ଦୂତାବାସ ନିଜ ନାଗରିକଙ୍କ ପାଇଁ ଜରୁରୀ ସୂଚନା ଜାରି କରି କହିଛି, କୁଏତରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣର ଭୟ ରହିଛି । କେହି ଦୂତାବାସକୁ ଆସନ୍ତୁ ନାହିଁ । ନିଜ ଘରର ସବୁଠାରୁ ନିମ୍ନ ମହଲାରେ ରୁହନ୍ତୁ ଏବଂ ଝରକାଠାରୁ ଦୂରେଇ ରୁହନ୍ତୁ। ବାହାରକୁ ଯାଆନ୍ତୁ ନାହିଁ ବୋଲି ସତର୍କ ସୂଚନା ଜାରି ହୋଇଛି। କୁଏତର ବାୟୁସେନା ଅନେକ ଶତ୍ରୁ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିଦେଇଛି। ତେବେ ଇରାନ କେବଳ କୁଏତ ନୁହେଁ, ବରଂ ବାହାରିନ, କତାର ଏବଂ ୟୁଏଇ ଭଳି ଦେଶ ଉପରକୁ ମଧ୍ୟ ଆକ୍ରମଣ ଜାରି ରଖିଛି। ଆମେରିକା ସମେତ ୭ଟି ଦେଶ ଇରାନର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।
