ମୁମ୍ବାଇର ୱାଙ୍ଖଡ଼େରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ଏତେ ରୋମାଞ୍ଚକ ଥିଲା ଯେ, ଅଦ୍ଭୁତ ସଂଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଭାରତ ୭ ରନରେ ଜିତିବା ପରେ ଅନେକ ପ୍ରଶଂସକ ସୋସିଆଲ ମିଡିଆରେ “ଥାଲା ଫର୍ ଏ ରିଜିନ୍” କ୍ୟାପ୍ସନ ନେଇ ସେଲିବ୍ରେସନ କରିଛନ୍ତି । ଥାଲା ନାମରେ ଜଣାଶୁଣା ଦ ଗ୍ରେଟ୍ ମହେନ୍ଦ୍ର ସିଂହ ଧୋନିଙ୍କ ଜର୍ସି ନମ୍ବର ୭ ଥିଲା । ସେ ମ୍ୟାଚ ଦେଖିବାକୁ ଉପସ୍ଥିତ ଥିବା ଭାରତ ୭ ରନରେ ଜିତିଲା ବୋଲି ଫ୍ୟାନ୍ସ ତାଙ୍କୁ କ୍ରେଡିଟ୍ ଦେଇଛନ୍ତି । ଧୋନି ଏହି ମ୍ୟାଚ ଦେଖିବାକୁ ପତ୍ନୀ ସାକ୍ଷୀଙ୍କ ସହିତ ଆସିଥିଲେ ।
ଖାଲି ୭ ରନର ବିଜୟ ନୁହେଁ ଭଭୟ ଦଳର ୭ ୱିକେଟ ପତନ ମଧ୍ୟ ହୋଇଥିଲା । ତିଳକ ବର୍ମା ୭ ବଲରେ ୨୧ ରନ୍ କରିଥିଲେ । ସଞ୍ଜୁ ସାମସନ ୭ ଛକା ମାରିଥିଲେ । ଜ୍ୟାକର ବେଥଲ ବି ୭ ଛକା ମାରିଥିଲେ । ଭାରତ ଏବଂ ଇଂଲଣ୍ଡ ଉଭୟ ୭ ୱିକେଟ ହରାଇଥିଲେ । ଇଂଲଣ୍ଡ ବ୍ୟାଟର ୭ ରନ୍ କରିଥିଲେ । ମହେନ୍ଦ୍ର ସିଂହ ଧୋନି ଷ୍ଟାଡିୟମରେ ଥିଲେ ତେଣୁ ୭ ନମ୍ବରର ଏତେ ସାରା ସଂଯୋଗ ହୋଇଥିଲା । ମ୍ୟାଚ ବିଜୟକୁ ନେଇ ଧୋନିଙ୍କୁ ସଂଯୋଗ କରି ‘ଥାଲା ଫର୍ ଏ ରିଜିନ’ ବୋଲି ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ଶିବମ ଦୁବେ ୪୩ ଓ ଇଶାନ କିଶାନ ୩୯ ରନର ଯୋଗଦାନ ଦେଇଥିଲେ । ଏହାର ଜବାବରେ ଇଂଲଣ୍ଡର ଜ୍ୟାକବ ବେଥେଲ ଶତକ ମାରିଥିଲେ । ଶେଷ ଓଭର ପର୍ଯ୍ୟନ୍ତ ଇଂଲଣ୍ଡ ନିୟନ୍ତ୍ରଣରେ ମ୍ୟାଚ୍ ରହିଥିଲା । କିନ୍ତୁ ଭାରତ ୭ ରନରେ ମ୍ୟାଚକୁ ନିଜ କବଜାରେ କରିଥିଲା । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ମାର୍ଚ୍ଚ ୮ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ଖେଳାଯିବ । ଯାହାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।
