ନୂଆଦିଲ୍ଲୀ: ତୈଳ ବଜାରରେ ଭୟଙ୍କର ନିଆଁ । ମହାସଙ୍କଟରେ କାଙ୍ଗାଳ ପାକିସ୍ତାନ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ଦେଶରେ ସ୍ଥିତି ଏମିତି ହୋଇଛି ଯେ ସାଧାରଣ ଜନତାଙ୍କ ପାଇଁ ପେଟ୍ରୋଲ କିଣିବା ଏକ ପ୍ରକାର ସ୍ୱପ୍ନ ପାଲଟିଛି, କାରଣ ତେଲ ଦର ଆକାଶଛୁଆଁ ହେଲାଣି । ବଢୁଥିବା ତେଲ ଦରକୁ ଦେଖି ଦେଶର ଖର୍ଚ୍ଚ କାଟ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । କେବଳ ସେତିକି ନୁହେଁ, ଶକ୍ତି ବଞ୍ଚାଇବା ନାଁରେ ପିଲାଙ୍କ ଭବିଷ୍ୟତ ଉପରେ ତାଲା ପକାଇ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି ।
ସରକାର ଏତେ ଅସହାୟ ଯେ ମନ୍ତ୍ରୀମାନଙ୍କୁ ଦରମା ଦେବାକୁ ବି ଅଣ୍ଟିରେ ପଇସା ନାହିଁ । ସେମାନଙ୍କୁ ବିଦେଶ ଗସ୍ତରେ ପଠାଇବାକୁ ବି ସମ୍ବଳ ନାହିଁ। ଇନ୍ଧନ ଏବଂ ବିଦ୍ୟୁତ୍ ଖର୍ଚ୍ଚ କମାଇବା ପାଇଁ ସରକାରୀ ଅଫିସ ମାତ୍ର ଚାରି ଦିନ ଖୋଲୁଛି ଏବଂ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା କୌଣସି ଡିଜିଟାଲ୍ କ୍ରାନ୍ତି ନୁହେଁ, ବରଂ ଏକ ଦେଶ ଦେବାଳିଆ ହେବାର କରୁଣ ଚିତ୍ର। ଯେତେବେଳେ ଗୋଟିଏ ଦେଶର ଶାସନ ବ୍ୟବସ୍ଥା ନିଜର ମନ୍ତ୍ରୀଙ୍କ ସୁବିଧା କାଟ୍ କରିବାକୁ ବାଧ୍ୟ ହୁଏ, ସେତେବେଳେ ବୁଝିବାକୁ ହେବ ଯେ ଦେଶରେ କେତେ ଭୟଙ୍କର ସଙ୍କଟ ସୃଷ୍ଟି ହୋଇଛି ।
ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପ୍ରାୟ ୨୦% ବୃଦ୍ଧି ଘଟିଛି। ଲିଟର ପିଛା ଦାମ୍ ୫୫ ଟଙ୍କା (ପାକିସ୍ତାନୀ ମୁଦ୍ରା) ବଢ଼ିବା ପରେ ପେଟ୍ରୋଲ ଏବେ ୩୩୫.୮୬ ଟଙ୍କା ଏବଂ ଡିଜେଲ ୩୨୧.୧୭ ଟଙ୍କାରେ ପହଞ୍ଚିଛି। ଏହି ଖବର ପ୍ରସାରିତ ହେବା ପରେ ଲାହୋର ଓ କରାଚି ଭଳି ବଡ଼ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଲୋକମାନେ ଆଗାମୀ ଦିନରେ ତେଲ ଅଭାବ ହେବା ଆଶଙ୍କାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛନ୍ତି।
