ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁସ୍କିଲରେ । ୨୦୨୬ ଟି୨୦ ବିଶ୍ୱକପ୍ ବିଜୟ ପରେ ହାର୍ଦ୍ଦିକଙ୍କ ବିରୁଦ୍ଧରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନିତ କରିଥିବା ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଶିବାଜୀନଗର ପୋଲିସ ଷ୍ଟେସନରେ ୱାଜିଦ ଖାଁ ଅଭିଯୋଗ ଦାୟର କରିଛନ୍ତି ।
ଟି୨୦ ବିଶ୍ବକପ ୨୦୨୬ ଜିତିବା ପରେ ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସେ ଦାବି କରିଛନ୍ତି । ପୋଲିସ ଅବଶ୍ୟ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନାହିଁ ।
ଟି୨୦ ବିଶ୍ବକପ ଜିତିବା ପରେ ହାର୍ଦ୍ଦିକ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ଖୁସି ମନାଉଥିଲେ । ହାର୍ଦ୍ଦିକଙ୍କ ଆଚରଣ ଜାତୀୟ ପତାକାର ମର୍ଯ୍ୟାଦା ବିରୋଧୀ । ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଜାତୀୟ ପତାକାକୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ । ତ୍ରିରଙ୍ଗା ଘୋଡ଼ାଇ ଅନୁପଯୁକ୍ତ ବ୍ୟବହାର କରିବା ଏକ ଅପମାନ ବୋଲି କହିଛନ୍ତି ଓକିଲ ଜଣକ ।
୨୦୨୬ ମସିହାରେ ଅହମ୍ମଦାବାଦରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବା ପରେ ବିବାଦ ଉପୁଜିଥିଲା।
