ଜଳନ୍ଧର : ପଞ୍ଜାବ ବରନାଲା ଜିଲ୍ଲା ଶୋହନା ଗାଁରେ ଅଭାବନୀୟ ଘଟଣା । ଗ୍ୟାସ୍ ସିଲିଣ୍ଡର ନେବା ପାଇଁ ଲାଇନରେ ଠିଆ ହୋଇଥିବା ବୃଦ୍ଧ ହାର୍ଟଆଟାକରେ ମ୍ତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଖବର ମୁତାବକ, ଶୋହନାରେ ରହୁଥିବା୬୬ ବର୍ଷୀୟ ବୃଦ୍ଧ ଭୂଷଣ କୁମାର ମିତ୍ତଲ ସକାଳ ୮ଟାରେ ଗ୍ୟାସ୍ ସିଲିଣ୍ଡର ନେବା ପାଇଁ ସ୍ଥାନୀୟ ଗ୍ୟାସ୍ ଏଜେନ୍ସୀ ବାହାରେ ଲାଇନରେ ଲାଗିଥିଲେ । ଏଠାରେ ସିଲିଣ୍ଡର ନେବା ପାଇଁ ଲମ୍ବା ଲାଇନ ଲାଗିଥିଲେ । ଭୂଷଣ କୁମାରଙ୍କ ନମ୍ବର ୨୫ରେ ରହିଥିଲା । ଦୁଇ ଘଣ୍ଟା ଧରି ଗ୍ୟାସ୍ ନେବାକୁ ଅପେକ୍ଷା କରିଥିଲେ ।
ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଆଉ ଏଠାରେ ଥିବା ଲୋକ ତାଙ୍କୁ ଧରିପକାଇଥିବା ବେଳେ ହାର୍ଟଆଟାକ୍ ଆସିଥିଲା । ଆଉ ଘଟଣା ସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ଦେଖାଦେଇଛି । ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସପିଟାଲ ନେଇଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଲୋକ ଏବଂ ରାଜନୈତିକ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଂଗ୍ରେସ ନେତା ସୁଖବିନ୍ଦର ସିଂହ ଧାଲିୱାଲ ଘଟଣାରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବୃଦ୍ଧ ଜଣକ ମଜୁରୀ ଲାଗି ନିଜ ପରିବାର ଚଳାଉଥିଲେ । କଂଗ୍ରେସ ନେତା ମୃତକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବୃଦ୍ଧଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
