ଯାଜପୁର ଟାଉନ: ୨୦ରୁ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି । ଦୁଲୁକିବ ଯାଜପୁର ସହର । ସଜେଇ ହେଉଛି ପ୍ରଶାସନିକ ଭବନ ପଡିଆ । ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ପୂର୍ବରୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବୈତରଣୀରେ ଆଳତୀ ଓ କୁସୁମା ରାସ୍ତାରେ ପଥ ଉତ୍ସବର ଆୟୋଜନ କରାଯାଉଛି । ଏହା ମାଧ୍ୟମରେ ଜିଲ୍ଲାବାସୀଙ୍କୁ ମହୋତ୍ସବରେ ସାମିଲ ହୋଇ ଭରପୁର ମଜା ନେବାକୁ ବାର୍ତ୍ତା ଦିଆଯାଉଛି ।
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହୋତ୍ସବରେ ପଲ୍ଲିଶ୍ରୀ ମେଳା ସ୍ଥାନ ପାଇବ । ସିସିଟିଭି କ୍ୟାମେରା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ମହୋତ୍ସବକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହୋଇଥିଲା ବୈତରଣୀ ନଦୀରେ ବାରୁଣୀ ସ୍ନାନ । ଯାଜପୁରର ଦଶାଶ୍ବମେଧ ଘାଟରେ ବୁଡ଼ ପକାଇଥିଲେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁ । ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଚଳିତ ବର୍ଷ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଥିଲା । ସ୍ନାନ ପରେ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥିଲା । ଏଥିରେ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଥିଲେ ।
ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିଥିଲେ । ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମାଆ ବିରଜା, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ବରାହ, ଯମ ମାଆ ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରିଥିଲେ ।
