ଭୁବନେଶ୍ୱର( ପି ଏନ )୧୮ ମାର୍ଚ୍ଚ:
ଭାରତର ପ୍ରଥମ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଓଡିଶାରୁ ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ରେଭେନ୍ୟୁ ଓ ବିପଦ ପ୍ରବନ୍ଧନ ବିଭାଗ ସହ ମିଳିତ ଭାବେ ଓଡିଶା ଜନଗଣନା କାର୍ଯ୍ୟାଳୟ ଏହି ବୃହତ୍ କାର୍ଯ୍ୟକ୍ରମକୁ ଏପ୍ରିଲ ୧, ୨୦୨୬ରୁ ମେ ୧୫, ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକରିବାକୁ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି।
ଏହି ଡିଜିଟାଲ ଜନଗଣନାର ବିଶେଷତା ହେଉଛି ଯେ, ନାଗରିକମାନେ ନିଜେ ନିଜ ତଥ୍ୟ Self-Enumeration (SE) Portal ମାଧ୍ୟମରେ ଅନଲାଇନରେ ଦାଖଲ କରିପାରିବେ। ସେହିପରି House Listing and House Operations (HLO) ପ୍ରକ୍ରିୟା ମୋବାଇଲ ଆପ୍ଲିକେଶନ ମାଧ୍ୟମରେ କ୍ଷେତ୍ରସ୍ତରରେ ଘରେଘରେ ଯାଇ କରାଯିବ।
ପ୍ରଶିକ୍ଷିତ ଏନ୍ୟୁମେରେଟର ଓ ସୁପରଭାଇଜରମାନେ ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ଘରେଘରେ ଯାଇ ତଥ୍ୟ ସଂଗ୍ରହ କରିବେ।
ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ପ୍ରଶାସନ ଏକାଡେମିରେ ଦୁଇଟି ପର୍ଯ୍ୟାୟରେ ୬୭ ଜଣ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ପୁଣି ୧,୫୫୨ ଜଣ ଫିଲ୍ଡ ଟ୍ରେନରଙ୍କୁ ପ୍ରଶିକ୍ଷିତ କରିଛନ୍ତି। ଏହି ଫିଲ୍ଡ ଟ୍ରେନରମାନେ ରାଜ୍ୟର ୩୦ଟି ଜିଲ୍ଲାରେ ୧,୦୦,୮୭୫ ଜଣ ଏନ୍ୟୁମେରେଟର ଓ ୧୭,୨୮୨ ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହାରେ ୯୧ଟି ନୋଟିଫାଇଡ଼ ଏରିଆ କାଉନ୍ସିଲ, ୪୮ଟି ପୌରପାଳିକା, ୫ଟି ମ୍ୟୁନିସିପାଲ କର୍ପୋରେସନ ଓ ୨ଟି ଇଣ୍ଡଷ୍ଟ୍ରିଆଲ ଟାଉନ୍ ଅନ୍ତର୍ଭୁକ୍ତ ଅଛି।
ଏହି ପ୍ରକ୍ରିୟାରେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ Principal Census Officer ଭାବେ କାର୍ଯ୍ୟ କରିବେ। ଅତିରିକ୍ତ ଜିଲ୍ଲାପାଳମାନେ District Census Officer ଭାବେ ଦାୟିତ୍ୱ ନେବେ। ସେହିପରି ଉର୍ବନ ଲୋକାଲ ବଡିର ଏକ୍ସେକ୍ୟୁଟିଭ ଅଫିସର ଓ ତହସିଲଦାରମାନେ Charge Officer ଭାବେ କାମ କରିବେ।
ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଏନ୍ୟୁମେରେଟର ଭାବେ ନିଯୁକ୍ତ ହେବେ ଏବଂ ଉଚ୍ଚ ବିଦ୍ୟାଳୟ ଶିକ୍ଷକମାନେ ସୁପରଭାଇଜର ଭାବେ କାର୍ଯ୍ୟ କରିବେ।
ଏହି ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିୟୋଜିତ କରାଯାଇଛି।
