ଭୁବନେଶ୍ବର: ରାଜ୍ୟରେ ଏଲ୍ପିଜି ଓ ପେଟ୍ରୋଲିୟମ୍ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବିଭାଗୀୟ ଅଧିକାରୀ, ବିଭିନ୍ନ ତୈଳ ଓ ଗ୍ୟାସ୍ କମ୍ପାନୀର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀକହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଗ୍ୟାସ୍ କଳାବଜାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗ୍ୟାସ ଯୋଗାଣ ଅନିୟମିତତା ରୋକିବାକୁ ଗ୍ରାହକଙ୍କ ନିମନ୍ତେ ବାୟୋମେଟ୍ରିକ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ପିଏନ୍ଜି ସଂଯୋଗ ପାଇବେ, ସେମାନଙ୍କୁ ଏଲ୍ପିଜି ସଂଯୋଗୀକରଣରୁ ବାଦ୍ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ପିଏନ୍ଜି ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପ୍ ଲାଇନ ସଂଯୋଗ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ଏବଂ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ତୈଳ ଓ ଗ୍ୟାସ୍ କମ୍ପାନୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ ମହାପାତ୍ର ପିଏନଜି ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ସହରାଞ୍ଚଳରେ ଏଲ୍ପିଜି ଉପରେ ନିର୍ଭରଶୀଳତା କମାଇବା ପାଇଁ ସମସ୍ତ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ତୁରନ୍ତ ପିଏନଜି ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ ଅନୁମତି ପ୍ରଦାନ କରିବ। ଆଗାମୀ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ପିଏନଜି ସଂଯୋଗ ପ୍ରାଧାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସିଂ ଏଜେନ୍ସିଗୁଡ଼ିକୁ ଡିଏସି(ଡେଲିଭରି ଅଥେଣ୍ଟିକେସନ କୋଡ) ବ୍ୟବସ୍ଥାକୁ ଶତପ୍ରତିଶତ କଡ଼ାକଡ଼ି କରିବା ଏବଂ ବାୟୋମେଟ୍ରିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଇପ ଲାଇନ ଯୋଗେ ସହରର ବିଭିନ୍ନ ଗୃହ, ଶିଳ୍ପାଞ୍ଚଳ ଓ ପ୍ରତିଷ୍ଠାନକୁ ବାଣିଜ୍ୟିକ ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ସେ ବୈଠକରେ କହିଥିଲେ। ଜନସାଧାରଣ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଜରିଆରେ ସ୍ଥିତି ଉପରେ ନଜର ରଖିଥିବା ସେ ସୂଚନା ଦେଇଛନ୍ତି।ତୈଳ ଓ ଗ୍ୟାସ୍ କମ୍ପାନୀ ଅଧିକାରୀମାନେ ଜଣାଇଥିଲେ ଯେ ସେମାନେ ପ୍ରତିଦିନର ତଥ୍ୟ ଉପସ୍ଥାପନ କରୁଛନ୍ତି। କେତେ ଗ୍ୟାସ୍ ମହଜୁଦ ଅଛି ସେ ବିଷୟରେ ଯୋଗାଣ ବିଭାଗକୁ ତଥ୍ୟ ଦେଉଛନ୍ତି। ପାଞ୍ଚ ଦିନର ଗ୍ୟାସ୍ ଷ୍ଟକ ରହୁଛି। ବିଦ୍ୟାଳୟ, ଅଙ୍ଗନୱାଡି, ଆହାରକେନ୍ଦ୍ର ଓ ଡାକ୍ତରଖାନା ପରି ସରକାରୀ ଅନୁଷ୍ଠାନଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ୍ ଯୋଗାଇ ଦିଆଯାଉଛି।
