ସମ୍ବଲପୁର: ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ । ଆୟ ତୁଳନାରେ ୪ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଂଜନ ଭୋଳଙ୍କଠାରୁ ଠାବ ହୋଇଛି ।
ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ମାମଲା ରୁଜୁ କରିଛି ବୋଲି କହିଛନ୍ତି ସମ୍ବଲପୁର ଦୁର୍ନୀତି ନିବାରଣ ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଦୀର୍ଘ ଦିନରୁ ଭୋଳଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ କରାଯାଇ ତଦନ୍ତ କରାଯାଇଥିଲା ।
୫ ଲକ୍ଷ ୧୮ ହଜାର ଟଙ୍କା ଧରି ରଂଜନ ଭୋଳ ଭୁବନେଶ୍ୱର ଯାଉଥିବା ବେଳେ ବାଟରେ ଅଟକାଇ ଯାଞ୍ଚ କରିଥିଲା ଭିଜିଲାନ୍ସ । ନଗଦ ଟଙ୍କା ବାବଦରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ପରେ ସମ୍ବଲପୁର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଭୁବନେଶ୍ୱର ରସୁଲଗଡ଼ ବାସଭବନ, ସମ୍ବଲପୁର ସାକ୍ଷୀପଡ଼ା ଭଡ଼ାଘର, ଅଫିସ ଏବଂ ଗଞ୍ଜାମ ଜିଲ୍ଲାରେ ଥିବା ପୈତୃକ ଘର ଆଦି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତାଙ୍କର ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ ଏବଂ ପୋଷ୍ଟାଲ ନିବେଶକୁ ମିଶାଇଲେ ପ୍ରାୟ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।
