ପୁରୀ : ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି । ଏକ ସାମ୍ବାଦିକ ସମ୍ପିଳନୀରେ ଏଭଳି ଅଭିଯୋଗ ଉଠାଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆସନ୍ତା ଡ଼ିସେମ୍ବର ସୁଦ୍ଧା ଇସ୍କନ୍ ପକ୍ଷରୁ ବିଶ୍ଵର ବିଭିନ୍ନ ସ୍ଥାନରେ ୮୦ ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଲ ଦ୍ଵିତୀୟରେ ରଥଯାତ୍ରା ପାଇଁ ପରାମର୍ଶ ଦେଇଛନ୍ତି ।
ଇସ୍କନର ଅଦିନିଆ ରଥଯାତ୍ରା ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁରୁ ଦାୟିତ୍ୱ ରହିଛି। ଗଜପତି ଦିବ୍ୟସିଂହ ଦେବ ବ୍ୟକ୍ତିଗତ ଭାବେ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଇସ୍କନର ଅଦିନିଆ ରଥଯାତ୍ରା ନେଇ ରାଜ୍ୟବ୍ୟାପୀ ଜନ ସଚେତନତା ସୃଷ୍ଟି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାୟ ସହ ଆଲୋଚନା କରାଯିବ।
ଇସ୍କନ୍ ମାୟାପୁର କର୍ତ୍ତୃପକ୍ଷଙ୍କୁ ପୁର୍ନବାର ଚିଠି ଲେଖାଯିବ। ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା । ଇସ୍କନ୍ ଭାରତ ଭିତରେ ଅଦିନିଆ ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା ନ କରିବା ପାଇଁ ଲିଖିତ ଭାବେ ଜଣାଇଛି। ୨୦୨୫ ପରଠାରୁ ଇସ୍କନ୍ ଭାରତ ଭିତରେ ଅଦିନିଆ ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା କରିବା ଦୃଷ୍ଟି ଗୋଚର ହୋଇନାହିଁ।
କିନ୍ତୁ ଇଣ୍ଟରନେଟ ତଥ୍ୟ ଅନୁଯାୟୀ, ବିଶ୍ଵର ବିଭିନ୍ନ ସ୍ଥାନରେ ୮୦ ଟି ଅଦିନିଆ ରଥଯାତ୍ରା ଓ ୧୦ ଟି ସ୍ଥାନରେ ଅଦିନିଆ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିରୋଧରେ ସମସ୍ତ ସନାତନ ପ୍ରେମୀ ସଚେତନ ହେବାକୁ ଗଜପତି ମହାରାଜା ନିବେଦନ କରିଛନ୍ତି।
ଆସନ୍ତା ପଣା ସଂକ୍ରାନ୍ତିରୁ ଶ୍ରୀମନ୍ଦିର କ୍ୟାଲେଣ୍ଡର ପ୍ରଚଳିତ ହେବାକୁ ଯାଉଛି। ଏହାକୁ ସମସ୍ତେ ମାନି ଚଳିବା ଉଚିତ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
