ୱାସିଂଟ/ ତେହେରାନ/ ଇସଲାମାବାଦ୍: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଚାଲିଥିବା ଉଚ୍ଚସ୍ତରୀୟ ଶାନ୍ତି ବାର୍ତ୍ତାଳାପ ମଧ୍ୟରେ ଏକ ଭୟଙ୍କର କୂଟନୈତିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ଯାହା ପଶ୍ଚିମ ଏସିଆର ରାଜନୈତିକ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଛି। କାତାର ବ୍ୟାଙ୍କରେ ଜବତ ହୋଇ ରହିଥିବା ଇରାନର ପ୍ରାୟ ୬ ବିଲିୟନ ଡଲାରର ବିପୁଳ ସମ୍ପତ୍ତିକୁ ମୁକ୍ତ କରିବା ପାଇଁ ଆମେରିକା ସମ୍ମତି ପ୍ରକାଶ କରିଥିବା ଶନିବାର ଜଣେ ବରିଷ୍ଠ ଇରାନୀ ଅଧିକାରୀ ଦାବି କରିଥିବା ବେଳେ, ଏହି ଦାବିକୁ ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ତୁରନ୍ତ ଖଣ୍ଡନ କରିବା ଫଳରେ ସନ୍ଧି ଆଲୋଚନାର ନିଷ୍କର୍ଷକୁ ନେଇ ବିଶ୍ୱବ୍ୟାପୀ ସନ୍ଦେହ ପ୍ରକାଶ ପାଇଛି। ଇରାନ ପକ୍ଷରୁ ଏହି ପଦକ୍ଷେପକୁ ୱାଶିଂଟନର “ଗମ୍ଭୀରତା” ବୋଲି ବର୍ଣ୍ଣନା କରାଯାଉଥିବା ବେଳେ ଏହା ବିଶ୍ୱର ସବୁଠାରୁ ରଣନୈତିକ ଜଳପଥ ‘ହର୍ମୁଜ ପ୍ରଣାଳୀ’ରେ ଯାନବାହନ ଚଳାଚଳର ସୁରକ୍ଷା ସହ ସିଧାସଳଖ ଜଡ଼ିତ ବୋଲି ଜଣାପଡ଼ିଛି।ଏହି ରହସ୍ୟମୟ ୬ ବିଲିୟନ ଡଲାରର ପାଣ୍ଠି ମୂଳତଃ ଦକ୍ଷିଣ କୋରିଆକୁ ଇରାନ ଦ୍ୱାରା ବିକ୍ରି କରାଯାଇଥିବା ତୈଳର ପ୍ରାପ୍ୟ, ଯାହାକୁ ୨୦୧୮ରେ ଟ୍ରମ୍ପ ପ୍ରଶାସନ ଜବତ କରିଥିବା ବେଳେ ୨୦୨୩ରେ ବନ୍ଦୀ ବିନିମୟ ଚୁକ୍ତି ଅନୁଯାୟୀ କାତାରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ବାଇଡେନ ପ୍ରଶାସନ ଏହି ପାଣ୍ଠି ଉପରେ ପୁନର୍ବାର କଟକଣା ଜାରି କରିଥିଲେ।
