ନୂଆଦିଲ୍ଲୀ: ଆସନ୍ତା ସୋମବାର ବଡ଼ ବୈଠକ । ପାକିସ୍ତାନରେ ଆମେରିକା-ଇରାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଇସଲାମାବାଦରେ ହେବ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । ଇରାନ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଲୋଚନାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଏକ ବଡ଼ ସମାଧାନର ନିକଟତର ଅଛନ୍ତି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଚୁକ୍ତି ହୋଇପାରେ । ଆମେରିକା ଚାହୁଁଛି ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁ । ଅନ୍ୟପଟେ ଇରାନ ଚାହୁଁଛି ତା’ ଉପରୁ ସମସ୍ତ ଆର୍ଥିକ କଟକଣା ହଟାଯାଉ । ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛି ।
ଏହାସହ ଇରାନ କହିଛି ଯେ, ବର୍ତ୍ତମାନ ପାଇଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ‘ହୋର୍ମୁଜ ପ୍ରଣାଳୀ’ ବ୍ୟବସାୟିକ ଜାହାଜ ପାଇଁ ଖୋଲା ରହିବ । ତେବେ ଯଦି ଆମେରିକା ନିଜର ନୌସେନା ଅବରୋଧ ନ ହଟାଏ ତେବେ ଏହାକୁ ପୁଣି ବନ୍ଦ କରାଯାଇପାରେ । ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ହୋଇଥିବା ୧୦ ଦିନିଆ ଯୁଦ୍ଧ ବିରତି ଏବେ ବି ଜାରି ରହିଛି । କିଛି ସ୍ଥାନରେ ଛୋଟମୋଟ ଆକ୍ରମଣର ଖବର ଆସୁଥିଲେ ମଧ୍ୟ ସାଧାରଣ ଲୋକେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଆସନ୍ତା ସୋମବାର ହେବାକୁ ଥିବା ଏହି ଆଲୋଚନା ଉପରେ ସାରା ବିଶ୍ୱର ନଜର ରହିଛି । ଯଦି ଏହି ଆଲୋଚନା ବିଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି ।
