ବାରଙ୍ଗ : ବାରଙ୍ଗ ଅଞ୍ଚଳ ଚୋରା ମୋରମ ଓ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ସନ୍ଧ୍ୟା ହେବା ମାତ୍ରେ ଏମାନେ ସକ୍ରିୟ ହୋଇ ଉଠୁଛନ୍ତି । ଏହିସବୁ ଲଘୁ ଖଣିଜ ଚୋରାରେ ପରିବହନ କରୁଥିବାରୁ ଦ୍ରୁତଗତିରେ ଗାଡି ଚାଳନା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଏସବୁ ସତ୍ତ୍ୱେ ଖଣି ବିଭାଗ ନୀରବଦ୍ରଷ୍ଟା ସାଜି ବ୍ୟବସାୟୀଙ୍କ ପାଇଁ ପ୍ରୋତ୍ସାହନ ସୃଷ୍ଟି କରିଛି । ଗୁରୁବାର ବିଳମ୍ବିତ ରାତିରେ ବାରଙ୍ଗ ତହସିଲଦାର ଡ. ତୁଷାର ଜ୍ୟୋତି ରଞ୍ଜନଙ୍କ ନେତୃତ୍ବରେ ଏକ ଦଳ ଗଠନ ହୋଇଥିଲା ।
ବାରଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ଭାବେ ପରିବହନ କରୁଥିବା ୯ଟି ଗାଡିକୁ ଜବତ କରାଯାଇଛି । ସେଥି ମଧ୍ୟରେ ବାଲି ବୋଝେଇ ୬ଟି ହାଇୱା ଏବଂ ୩ଟି ଚିପ୍ସ ବୋଝେଇ ହାଇୱା ରହିଛି । ଚିପ୍ସ ବୋଝେଇ ହାଇୱା ୩ଟି ଓଭରଲୋଡ଼ିଂ କରିଥିବାରୁ ଏମାନଙ୍କୁ ପରିବହନ ଦ୍ଵାରା ଲକ୍ଷାଧିକ ଟଙ୍କା ଫାଇନ କରଯାଇଛି । ସବୁଠାରୁ ବଡକଥା ହେଲା ବେଆଇନ ମୋରମ ଓ ବାଲି ଚାଲାଣ ଉପରେ ଖଣି ବିଭାଗ କାହିଁକି ଅଙ୍କୁଶ ଲଗାଉନାହିଁ ତାହା ବାରଙ୍ଗର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
