ଭୁବନେଶ୍ୱର : CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା ହୋଇଛି । ମେ ୧୫ରୁ ୨୧ ତାରିଖ ଯାଏ ଚାଲିବ ଏହି ପରୀକ୍ଷା । ସକାଳ ୧୦:୩୦ ରୁ ୧:୩୦ ଯାଏ ପରୀକ୍ଷା ହେବା ନେଇ ସମୟ ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE କରିଛି ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି । ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ । ଏହି ସୁଯୋଗ ଛାତ୍ରଛାତ୍ରୀଙ୍କୁ ୩ ଟି ବିଷୟ ପାଇଁ ସୁଯୋଗ ମିଳିବ । ସେଥି ମଧ୍ୟରୁ ଗୋଟିଏ ଲାଙ୍ଗୁଏଜ ଓ ଦୁଇଟି ଅନ୍ୟ ବିଷୟ ଅନ୍ତର୍ଭୁକ୍ତ । ତେବେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିଭାବକ ତଥା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ହେଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ମାର୍କ ବୃଦ୍ଧି କଲେ ଏହା ହୁଏତ ସେମାନଙ୍କର ପ୍ରୋଗ୍ରେସ ରିପୋର୍ଟରେ ମାର୍କ ପ୍ରତିଶତ ବଢିବ , ହେଲେ ଏକାଦଶ ବା ଯୁକ୍ତ ୨ ପାଇଁ ନାମ ଲେଖାରେ ଏହି ମାର୍କ ସହାୟତା କରିବନି । କାରଣ ପରୀକ୍ଷା ପୂର୍ବରୁ CBSE ର ଏକାଦଶ ଶ୍ରେଣୀ ପାଇଁ ଫର୍ମ ପକାଇବା ତାରିଖ ସରିଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସୂତ୍ରରୁ ଜଣାପଡିଛି । ଫଳରେ ଛାତ୍ରଛାତ୍ରୀ CBSE ର ଏହି ୨ୟ ବୋର୍ଡ଼ ପରୀକ୍ଷାରେ ଦେଇଥିବା ବିଷୟରେ ଯେତେ ଅଧିକ ମାର୍କ ରଖିଥିଲେ ମଧ୍ୟ ପ୍ରଥମ ପରୀକ୍ଷାର ମାର୍କ ଅନୁଯାୟୀ ସେମାନେ ଏକାଦଶ ଶ୍ରେଣୀ ନାମ ଲେଖାରେ ଭାଗ ନେଇ ପାରିବେ ନାହିଁ କି ଫର୍ମ ପକାଇ ପାରିବେ ନାହିଁ ।
ଫଳରେ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ସେମାନଙ୍କ ପାଇଁ ସାର୍ଟିଫିକେଟ ରେ ମାର୍କ ବଢିବା ବ୍ୟତୀତ ବିଶେଷ ଲାଭ ହେବ ନାହିଁ । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରୁ ଦାବି ଯେ CBSE ବୋର୍ଡ ୨ୟ ବୋର୍ଡ଼ ପରୀକ୍ଷାର ମାର୍କ ଆଧାରରେ CBSE ର ଏକାଦଶ ଶ୍ରେଣୀରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଫର୍ମ ପକାଇବାକୁ ସୁଯୋଗ ଦେଲେ ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ କାମରେ ଲାଗି ପାରନ୍ତା । କିମ୍ବା ୨ୟ ବୋର୍ଡ଼ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବା ଯାଏ ଉକ୍ତ ଛାତ୍ରଛାତ୍ରୀଙ୍କ ପାଇଁ କିଛି ପ୍ରତିଶତ ସିଟ ଖାଲି ରଖିଲେ ସେମାନେ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିପାରନ୍ତେ । ଯାହାଫଳରେ CBSE ର ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇପାରନ୍ତା । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଉକ୍ତ ଦାବି ପ୍ରତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଚାର କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
