ସମ୍ବଲପୁର : ସମ୍ବଲପୁରରେ ପୁଣି ଏନକାଉଣ୍ଟର । ସହରରେ ନିଶା କାରବାର ବଢାଇବା ଉଦ୍ଦେଶ୍ୟରେ ବାହାରୁ ଆସୁଥିବା ଏକ ବଡ଼ ଚାଲାଣକୁ ପୋଲିସ ପଣ୍ଡ କରିଦେଇଛି । ବୁର୍ଲା ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରୁ ପ୍ରାୟ ୧୨୦୦ ବୋତଲ କୋରେକ୍ସ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଶୀତଳଷଷ୍ଠୀ ସମୟରେ ପୋଲିସର କଡ଼ାକଡ଼ି ଚେକିଂକୁ ଏଡ଼ାଇବା ପାଇଁ ପୂର୍ବରୁ ହିଁ ସହରରେ ନିଶାଦ୍ରବ୍ୟର ଏକ ବଡ଼ ଷ୍ଟକ୍ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ । କଟକ ଅଞ୍ଚଳରୁ କାରରେ ୧୦ଟି କାର୍ଟୁନରେ କୋରେକ୍ସ ଧରି ସମ୍ବଲପୁର ଅଭିମୁଖେ ଆସୁଥିଲେ ।
ବିଶେଷକରି ବୁର୍ଲା, ରେଙ୍ଗାଲି ଓ ସଦର ଥାନା ଅଞ୍ଚଳରୁ ଆଣି ସହର ଭିତରକୁ ପ୍ରବେଶ କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ପୋଲିସ ପକ୍ଷରୁ ମଧ୍ୟ ଦୁଇ ରାଉଣ୍ଡ ପାଲଟା ଗୁଳି ଚାଳନା କରାଯାଇଥିଲା । ଯେଉଁଥିରେ ଗାଡ଼ି ଚଲାଉଥିବା ମୁଖ୍ୟ ଅଭିଯୁକ୍ତ ରମେଶ୍ୱର ପାତ୍ର ଆହତ ହୋଇଛନ୍ତି । ପୋଲିସ ତାଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ଗାଡ଼ି, ନିଶା ସିରପ ଏବଂ ମାରଣାସ୍ତ୍ର ଜବତ କରିଛି ।
