ଅଫିସରଙ୍କ ଚାମ୍ବରରେ ଛାଡ଼ିଦେଲେ ୪ ବୁଲା କୁକୁର । ଶୁଣିଲେନି ଅଭିଯୋଗ, ବସ୍ତାରେ ବୋହି ଆଣିଲେ । କୁକୁରଙ୍କ ସହ ଅଫିସରେ ରଖିଲେ ନୋଟ୍ ମାଳ । ଅଫିସରଙ୍କ ଚାମ୍ବରରେ ଚାଲିଥିଲା ସରକାରୀ କାମ। ହଠାତ୍ ଖୋଲିଲା କବାଟ। ଭିତରକୁ ପଶିଲେ କିଛି ଲୋକ।ଆଉ ସେମାନଙ୍କ ହାତରେ ଥିଲା ଚାରିଟା ଅଖା। କେହି କିଛି ବୁଝିବା ଆଗରୁ ସିଧା ଅଖା ଖୋଲି ଅଫିସରଙ୍କ ଟେବୁଲ୍ ଆଗରେ ଛାଡ଼ିଦେଲେ ବୁଲା କୁକୁର। ଏ ହେଉଛି ମହାରାଷ୍ଟ୍ର ନିଫାଡ ନଗର ପଞ୍ଚାୟତ ଚିଫ୍ ଅଫିସର ଧୀରଜ ଭାମରେଙ୍କ ଚାମ୍ବରର ଦୃଶ୍ୟ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମହାରାଷ୍ଟ୍ରର ନିଫାଡ଼ ସହରରେ ଗତ ୬ ମାସ ହେଲା ବୁଲା କୁକୁରଙ୍କ ଉପଦ୍ରବ ଏପରି ବଢ଼ିଯାଇଛି ଯେ, ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ, କେହି ବି ବାହାରକୁ ବାହାରିବାକୁ ସାହସ କରୁନାହାନ୍ତି। ଅନେକ କୁକୁର କାମୁଡାର ଶିକାର ମଧ୍ୟ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା। ଆଉ ଶେଷରେ, ସହନଶୀଳତାର ସବୁ ସୀମା ପାର୍ ହୋଇଥିଲା। ଅଭିନବ ଢ଼ଙ୍ଗରେ ଆରମ୍ଭ ହୋଇଥିଲା ପ୍ରତିବାଦ। ଶିବସେନା (ୟୁବିଟିର) ଯୁବ ସେନା ଜିଲ୍ଲା ପ୍ରମୁଖ ବିକ୍ରମ ରନ୍ଧାୱେ ଏବଂ ନଗରସେବିକା ରୂପାଲି ରନ୍ଧାୱେଙ୍କ ନେତୃତ୍ୱରେ କିଛି ସ୍ଥାନୀୟ ବାସିନ୍ଦା ସିଧାସଳଖ ନଗର ପଞ୍ଚାୟତର ଚିଫ୍ ଅଫିସରଙ୍କ ଅଫିସରେ ପହଞ୍ଚିଥିଲେ। ଆଉ ତା’ପରେ, ଅଫିସ ଟେବୁଲ୍ ସାମ୍ନାରେ ଛାଡ଼ି ଦେଇଥିଲେ ୪ଟି ବୁଲା କୁକୁର। କେବଳ ଏତିକି ନୁହେଁ, ନଗର ପଞ୍ଚାୟତର କାର୍ଯ୍ୟକୁ ବିରୋଧ କରି ନୋଟ୍ର ଦୁଇଟି ମାଳା ମଧ୍ୟ ରଖାଯାଇଥିଲା। କିଛି ସମୟ ପାଇଁ ଚାମ୍ବର ଭିତରେ ସୃଷ୍ଟି ହୋଇଥିଲା ହଇଚଇ। ଆଉ ସେପଟେ ଏସବୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ନଗର ପଞ୍ଚାୟତର ଚିଫ୍ ଅଫିସର।
ଏହି ପୂରା ଅଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ। ସରକାରୀ କାମରେ ବାଧା ସୃଷ୍ଟି ଏବଂ ପଶୁ କ୍ରରତା ଅଭିଯୋଗରେ ବିକ୍ରମ ରନ୍ଧାୱେ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଖୋଦ୍ ପାର୍ଟି ନେତା ଆଦିତ୍ୟ ଠାକରେ ମଧ୍ୟ ଏପରି ଆଚରଣକୁ ନିନ୍ଦା କରି କହିଛନ୍ତି ଯେ ଅଫିସରଙ୍କ ଅପାରଗାତ ଦର୍ଶାଇବା ଠିକ ଥିଲା, କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ।” ଅଫିସ ଭିତରେ କୁକୁର ଛାଡ଼ିବାର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ନିଫାଡ଼ର ଏହି ଘଟଣା ଏବେ କେବଳ ଏକ ଅଜବ ପ୍ରତିବାଦ ନୁହେଁ, ନଗର ପ୍ରଶାସନର ଦାୟିତ୍ୱ ଏବଂ ସହରବାସୀଙ୍କ ସୁରକ୍ଷା ନେଇ ମଧ୍ୟ ଉଠାଇଛି ପ୍ରଶ୍ନ। ତେବେ କୁକୁର ଆତଙ୍କରୁ ଜନସାଧାରଣ କେବେ ମୁକ୍ତି ପାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
