ଟାଙ୍ଗି: ଧମକାଇଲେ, ଦୁର୍ବ୍ୟବହାର କଲେ । ଏବେ ବିରୋଧର ସମ୍ମୁଖୀନ ହେଲେ । ଚାରଣି, ଆଠଣି, ଚାଉଳ ଦେଖାଇ ଅରିନ୍ଦମଙ୍କୁ ପ୍ରତିବାଦ କରିଛନ୍ତି । ଟାଙ୍ଗୀ ବ୍ଲକ ଅଫିସ ଆଗରେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ୧୫ ତାରିଖ ହାଇଡ୍ରାମା ପରେ ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଓ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି ବିଜେପି ନେତା ଅରିନ୍ଦମ ରାୟ । ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି । ଏହାର ତର୍ଜମା ପରେ ସତ୍ୟାସତ୍ୟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅରିନ୍ଦମଙ୍କ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ବ୍ଲକ କର୍ମଚାରୀ ।
ପ୍ରଥମେ ନାଲିଆଖି ଦେଖାଇଲେ, ଧମକାଇଲେ । ଗଣମାଧ୍ୟମକୁ ବି ଛାଡ଼ିନଥିଲେ । ଏବେ ତୀବ୍ର ବିରୋଧର ସମ୍ମୁଖୀନ । କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଫିସ ଆଗରେ ବିଜେପି ନେତା ଅରିନ୍ଦମ ରାୟଙ୍କୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧ । ପ୍ରଶାସନିକ ଅଧିକାରୀଙ୍କୁ ଧମକାଇବା ଓ ଦୁର୍ବବ୍ୟହାର ଖବର ପ୍ରସାରଣ ନେଇ ଗଣମାଧ୍ୟମକୁ କଟାକ୍ଷ କରି ସୋସିଆଲ ମିଡିଆରେ ସେ ପୂର୍ବରୁ ଟିପଣୀ ରଖିଥିଲେ । ଏହାର ପ୍ରତିବାଦରେ ଟାଙ୍ଗୀ ଗଣମାଧ୍ୟମ ପ୍ରତିନିଧି ମାନେ ହାତରେ ଚାଉଳ, ପରିବା ଏବଂ ୨୫ ପଇସା, ୫୦ ପଇସା ଭଳି ଖୁଚୁରା ଟଙ୍କା ଧରି ବିରୋଧ ପ୍ରଦର୍ଶନ କରିଥିଲେ।
କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଫିସରେ ପ୍ରଶାସନିକ ଅଧିକାରୀଙ୍କ ସହ ବିଜେପି ନେତା ଅରିନ୍ଦମ ରାୟଙ୍କ ଯୁକ୍ତିତର୍କ ପରେ ଆଜି ଟାଙ୍ଗୀ ବ୍ଲକ ଅଫିସ ଯାଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ନେଇ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ । ତେବେ ଏ ସମ୍ପର୍କିତ ଲିଖିତ ଅଭିଯୋଗ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉଭୟ ତହସିଲଦାର ଏବଂ ବିଡିଓ । ଅନିୟମିତତା ନେଇ ଦୁଇ ନେତା ଆଣିଥିବା ଅଭିଯୋଗଗୁଡିକର ତର୍ଜମା କରାଯିବ। ସତ୍ୟାସତ୍ୟ ଅନୁଧ୍ୟାନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ।
