ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !। ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ । ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର । ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି । ଥାନାକୁ ଆସି ମିଛ ମାମଲା ରୁଜୁ କରିବା ପାଇଁ ପୋଲିସ ଉପରେ ପକାଉଥିଲା ଚାପ । ଶେଷରେ ଖାରବେଳନଗର ଥାନା ପୋଲିସ ହାତରେ ଧରାପଡିଲା ଠକ ଚାଲବାଜ । ଅଭିଯୁକ୍ତର ନାଁ ଆଶିଷ ରେଡି । ସେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଜଣେ ମହିଳାଙ୍କ ଗ୍ୟାଙ୍ଗ ରେପ୍ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବାକୁ ଆସିଥିଲା ଅଭିଯୁକ୍ତ । ନିଜକୁ NIA ଅଫିସର ପରିଚୟ ଦେଇ ପୋଲିସକୁ ଧମକଚମକ ମଧ୍ୟ ଦେଉଥିଲା । ଫିଲ୍ମ ଷ୍ଟାଇଲରେ NIA ଲୋଗୋ ଲାଗିଥିବା ଜ୍ୟାକେଟ୍ ପିନ୍ଧି ବୁଲୁଥିବା ବେଳେ ସନ୍ଦେହ ହୋଇଥିଲା ପୋଲିସର । ପରେ ତାଙ୍କ ଆଇଡି କାର୍ଡ ଯାଞ୍ଚ କରାଯିବା ପରେ ସାମ୍ନାକୁ ଆସିଥିଲା ଅସଲ ଚିତ୍ର । ନକଲି ପରିଚୟ ଦେଇ ଲୋକଙ୍କୁ ଧମକ ଦେବା ସହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଥିବା ସନ୍ଦେହ କରୁଛି ପୋଲିସ । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ୧୦ରୁ ୧୫ ଦିନ ଧରି ସେ NIA ଅଫିସର ସାଜି ବୁଲୁଥିବା ବେଳେ ଆଉ କେତେ ଲୋକଙ୍କୁ ଠକିଛି ସେନେଇ ଖୋଳତାଡ଼ କମିଶନରେଟ ପୋଲିସ ।
