ଭୁବନେଶ୍ୱର : ଆସନ୍ତାକାଲିଠାରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୩୧ତମ ସବ୍-ଜୁନିୟର ଜାତୀୟ ବେସବଲ୍ ଚାମ୍ପିଅନସିପ୍ ୨୦୨୬ । ଆସନ୍ତାକାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଏନେଇ ବେସବଲ୍ ଆସୋସିଏସନ ଅଫ୍ ଓଡ଼ିଶା ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।
ଆମେଚୁର ବେସବଲ୍ ଫେଡେରେସନ ଅଫ୍ ଇଣ୍ଡିଆ (ABFI) ଓ ବେସବଲ୍ ଆସୋସିଏସନ ଅଫ୍ ଓଡ଼ିଶା (BAO) ର ମିଳିତ ସହଯୋଗରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି ଚାମ୍ପିୟନସିପ୍ ରେ ସାରା ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦ଟି ବାଳକ ଏବଂ ୧୮ଟି ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରେ ଖେଳାଳି, ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କୁ ମିଶାଇ ପାଖାପାଖି ୧,୦୦୦ ପ୍ରତିଯୋଗୀ ସାମିଲ ହେବେ ।
ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଲିଗ୍-କମ୍-ନକ୍ ଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେବଳ ସକାଳ ଏବଂ ସନ୍ଧ୍ୟା ସମୟରେ ହିଁ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ । ଚାମ୍ପିୟନସିପ୍ ର ସମାପ୍ତି ପରେ ମୋଟ୍ ୧୨୦ଟି ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସହ ଶ୍ରେଷ୍ଠ ଖେଳାଳି (MVP), ଶ୍ରେଷ୍ଠ ପିଚର, ହିଟର, କ୍ୟାଚର, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଏବଂ ଶ୍ରେଷ୍ଠ ଅମ୍ପାୟାର ଭଳି ବ୍ୟକ୍ତିଗତ କୃତିତ୍ୱ ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କିଟ୍ କିସ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଧୁ ଦାସ, BAO ସଭାପତି ପ୍ରବୋଧ ମହାନ୍ତି, ଓ ABFI ର ସଭାପତି ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତି ରହିଥିଲେ ।
