ଭୁବନେଶ୍ୱର : ୧୭ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ଉଦ୍ଘାଟିତ । ଦେଶର ସର୍ବାଧିକ ପୁରସ୍କାର ରାଶି ୧.୩୧ କୋଟି । ଯୋଗଦେଲେ ୨୫ ଜିଏମ୍ , ୫୦ ଆଇଏମ୍ଙ୍କ ସମେତ ୩ ହଜାର ଖେଳାଳି । ମେ’ ୨୩ ତାରିଖରୁ କିଟ୍ ବିଶ୍ୱନାଥନ ଆନନ୍ଦ ଅନ୍ତର୍ଜାତୀୟ ଚେସ୍ ହଲରେ ଆରମ୍ଭ ହୋଇଛି ୧୭ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ । ଆଜି ଏହା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି ।
୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଶ୍ୱର ୪୦ଟି ଦେଶରୁ ୪ ହଜାର ଖେଳାଳି ଓ ଅଭିଭାବକ ଯୋଗ ଦେଉଥିବା ବେଳେ ୪ଶହ ଅଫିସିଆଲ୍ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ ଗ୍ରାଣ୍ଡମାଷ୍ଟର (ଜିଏମ୍ ), ୫୦ଜଣ ଇଣ୍ଟରନ୍ୟାସ୍ ନାଲ୍ ମାଷ୍ଟର (ଆଇଏମ୍ ) ଓ ୮୫ରୁ ଅଧିକ ଅନ୍ତର୍ଜାତୀୟ ଟାଇଟଲଧାରୀ ଅଛନ୍ତି ।ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ମୋଟ ପୁରସ୍କାର ରାଶି ରଖାଯାଇଛି ୧କୋଟି ୩୧ ଲକ୍ଷ ଟଙ୍କା ।
ଏହା ଭାରତରେ ଚେସ୍ ପାଇଁ ପ୍ରଦାନ କରାଯାଉଥିବା ସର୍ବାଧିକ ପୁରସ୍କାର ରାଶି । ଏଥିରେ ବିଭିନ୍ନ ବର୍ଗରେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଯାହା ଦ୍ୱାରା ପ୍ରତ୍ୟେକ ପ୍ରତିଯୋଗୀ କିଛି ନା କିଛି ପୁରସ୍କାର ରାଶି ପାଇବାର ସୁଯୋଗ ପାଇବେ । ଏହି ଚେସ୍ ମହାକୁମ୍ଭ ପାଇଁ କିଟ୍ ପକ୍ଷରୁ ଖେଳାଳିଙ୍କ ରହିବା ଖାଇବା ଠାରୁ ପ୍ରତିଯୋଗିତା ପର୍ଯ୍ୟନ୍ତ ସମସ୍ତ ସୁବିଧା ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
