ଜାପାନରେ ଭୂତକୋଠି ପାଲଟିଛି ୯୦ ଲକ୍ଷ ଘର । ବିଭିନ୍ନ ଗ୍ରାମାଞ୍ଚଳରେ ଖାଲି ପଡ଼ିଛି ପ୍ରାୟ ୯୦ ଲକ୍ଷରୁ ଊର୍ଦ୍ଧ୍ବ ଘର । ଏହା କୌଣସି ଅସମ୍ପୂର୍ଣ୍ଣ କିମ୍ବା ଅପରିତ୍ୟକ୍ତ ଘର ନୁହେଁ । ଜନସଂଖ୍ୟା ହ୍ରାସ ଓ ଲୋକଙ୍କ ସହରାଭିମୁଖୀ ମାନସିକତା ଯୋଗୁ ଆଜି ଏତେ ସଂଖ୍ୟକ ଘର ଖାଲି ପଡ଼ିଥିବା ଜଣାପଡ଼ିଛି । ୨୦୨୩ ଗୃହ ସର୍ଭେ ଅନୁଯାୟୀ, ଦେଶର ସମସ୍ତ ଘରର ପ୍ରାୟ ୧୪ ପ୍ରତିଶତ ଏବେ ବି ଖାଲି ପଡ଼ିଛି ।
ଯାହା ଜାପାନରେ ରେକର୍ଡର ସର୍ବୋଚ୍ଚ ସ୍ତର ହାସଲ କରିଛି । ବିଶେଷଜ୍ଞଙ୍କ ମତରେ, ଏହାର ମୂଳ କାରଣ ଅଧିକ ଘର ତିଆରି ହେବା ନୁହେଁ, ବରଂ ରହିବା ପାଇଁ ଲୋକଙ୍କ ସଂଖ୍ୟା ହ୍ରାସ ହେବା । ଏକ ରିପୋର୍ଟ ଅନୁଯାୟୀ, ଜାପାନରେ କିଛି ବର୍ଷ ଧରି ଜନ୍ମହାର କମିଯାଇଛି । ସେଠାକାର ପ୍ରାୟ ୩୦ପ୍ରତିଶତ ଜନସଂଖ୍ୟା ୬୫ ବର୍ଷରୁ ଅଧିକ ବୟସ୍କ । ଗ୍ରାମାଞ୍ଚଳରେ ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁ ପରେ, ଯୁବପିଢ଼ି ଚାକିରି ପାଇଁ ଟୋକିଓ ଓ ଓସାକା ଭଳି ବଡ଼ ବଡ଼ ସହରକୁ ଚାଲିଯାଉଛନ୍ତି ।
ଯାହାଫଳରେ ସେମାନଙ୍କ ପୈତୃକ ଘର ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ୁଛି । ଜାପାନର ବର୍ତ୍ତମାନର ସମ୍ପତ୍ତି ଟିକସ ନିୟମ ଅନୁଯାୟୀ, ଯଦି ଜମି ଉପରେ ଏକ ଆବାସିକ ଘର ଥାଏ, ତେବେ ଜମି ଟିକସରେ ରିହାତି ମିଳେ । ଯଦି ପୁନର୍ବାର ଭଙ୍ଗା ଘରକୁ ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ଟିକସ ତୁରନ୍ତ ୬ ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ । ତେଣୁ ଲୋକମାନେ ଘର ଭାଙ୍ଗିବା ଅପେକ୍ଷା ତାକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଚାଲି ଯାଆନ୍ତି । ଖାସ ଏହି କେତେକ କାରଣ ଯୋଗୁ ଏବେ ଜାପାନରେ ପ୍ରାୟ ୯୦ ଲକ୍ଷରୁ ଅଧିକ ଘର ଖାଲି ପଡ଼ିଥିବା ଦେଖିବାକୁ ମିଳିଛି ।
