ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ପୂର୍ବ ଅଞ୍ଚଳ ବେଞ୍ଚ୍ (କୋଲକାତା)ର ନ୍ୟାୟମୂର୍ତ୍ତି ଅରୁଣ କୁମାର ତ୍ୟାଗୀ ଓ ଇଶ୍ୱର ସିଂହଙ୍କ ଖଣ୍ଡପୀଠରେ ମଙ୍ଗଳବାର ଶିମିଳିପାଳ ବାଘ ସଂରକ୍ଷିତ ଅଞ୍ଚଳ ନିକଟରେ ପ୍ରସ୍ତାବିତ ହୋଟେଲ/ରିସର୍ଟ ପ୍ରକଳ୍ପ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଅଧିବକ୍ତା ଆକାଶ ଶର୍ମା ମାମଲାର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ସମୟରେ ପ୍ରତିବାଦୀ ନଂ ୧ ଓ ୩, ଅର୍ଥାତ୍ ଓଡ଼ିଶା ସରକାର ଓ ବାରିପଦା ଫରେଷ୍ଟ ଡିଭିଜନର ଡିଏଫ୍ଓ ଟ୍ରିବ୍ୟୁନାଲ୍ରେ ଉପସ୍ଥିତ ଥିଲେ। ପ୍ରତିବାଦୀ ନଂ ୫, ହୋଟେଲ ସୋନାର ବାଙ୍ଗ୍ଲା ମଧ୍ୟ ମାମଲାରେ ହାଜର ହୋଇଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାନ୍ୟବର ଟ୍ରିବ୍ୟୁନାଲ୍ ଆବେଦକଙ୍କ ଅନ୍ତରୀଣ ପ୍ରାର୍ଥନା ଅନୁଯାୟୀ ରହିତା ଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର ଏବଂ ଡିଏଫଓ ଟ୍ରିବ୍ୟୁନାଲ୍ ସମ୍ମୁଖରେ କହିଥିଲେ ଯେ ରହିତା ଦେଶ ଜାରି ହେଲେ ତାଙ୍କ ପକ୍ଷରୁ କୌଣସି ଆପତ୍ତି ନାହିଁ।
ଏହାପରେ ଟ୍ରିବ୍ୟୁନାଲ୍ ପ୍ରତିବାଦି ଇଡକୋ, ଇପିକଲ୍ ଓ ହୋଟେଲ ସୋନାର ବାଙ୍ଗ୍ଲାକୁ ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ତହସିଲ ଅନ୍ତର୍ଗତ ମୌଜା ଲକ୍ଷ୍ମୀପୋଷି, ଖାତା ନଂ ୧୨୩, ପ୍ଲଟ ନଂ ୧୩୮ ଉପରେ କୌଣସି ପ୍ରକାର ନିର୍ମାଣ କିମ୍ବା ସମ୍ବନ୍ଧିତ କାର୍ଯ୍ୟ କରିବାରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାଟି ଶିମିଳିପାଳ ବାଘ ସଂରକ୍ଷିତ ଅଞ୍ଚଳର ଇକୋ ସେନ୍ସିଟିଭ୍ଭି ଜୋନ୍ ଭିତରେ ଅବସ୍ଥିତ ପ୍ରାୟ ୧୦୦ ଏକର ପରିମାଣର ପରିବେଶ ସମ୍ବେଦନଶୀଳ ଜଙ୍ଗଲ ଓ ପାହାଡ଼ିଆ ଜମିକୁ ଏକ ବେସରକାରୀ ହୋଟେଲ/ରିସର୍ଟ ପ୍ରକଳ୍ପ ପାଇଁ ବ୍ୟବହାର କରିବା ପ୍ରସ୍ତାବକୁ ନେଇ ଦାଖଲ କରାଯାଇଛି। ଆବେଦକଙ୍କ ଅଭିଯୋଗ ଅନୁଯାୟୀ, ଏହି ଜମିଟି ଘନ ଶାଳ ଜଙ୍ଗଲ ଓ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଅଟେ। ଶିମିଳିପାଳ ବାଘ ସଂରକ୍ଷିତ ଅଞ୍ଚଳ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ୟଜନ୍ତୁ କରିଡୋର ଭାବେ କାର୍ଯ୍ୟ କରୁଛି। ମାମଲାଟି ବର୍ତ୍ତମାନ ଟ୍ରିବ୍ୟୁନାଲ୍ରେ ବିଚାରାଧୀନ ଅଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ରେ ଧାର୍ଯ୍ୟ କରାଯାଇଛି।
