ନୂଆଦିଲ୍ଲୀ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଜୋର୍ ଜରିଥିବାବେଳେ ଆଜି ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୈଠକ ଥିଲା। ପାଖାପଖି ୬ ଘଣ୍ଟାର ମାରାଥନ ବୈଠକରେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ମୁଖ୍ୟାଳୟରେ ହୋଇଥିବା ଏହି ବୈଠକରେ ସିଦ୍ଦରମୈୟା, ଶିବକୁମାର, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ , କେସି ବେଣୁଗୋପାଳ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁର୍ଯେୱାଲା ଉପସ୍ଥିତ ଥିଲେ। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏହି ବୈଠକରେ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବାପାଇଁ ପାର୍ଟି ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯାଆନ୍ତୁ ଏବଂ ଦିଲ୍ଲୀରେ ରହି ଜାତୀୟ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଦଳ ଚାହିଥିବା କଂଗ୍ରେସର ଏକ ସୂତ୍ରରୁ ଜଣାପଡ଼ିଛି ।
