ନୂଆଦିଲ୍ଲୀ : ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ, ଇରାନ ସହ ଯୁଦ୍ଧ ଶେଷ କରିବା ପାଇଁ ଏକ “ମହାନ ସମାଧାନ” ହୋଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ୟୁରୋପରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି, “ଆମେ ଇରାନ ସହ ଯୁଦ୍ଧର ସୁନ୍ଦର ସମାଧାନ ବାହାର କରିଛୁ । ଦସ୍ତାବିଜଗୁଡ଼ିକ ଚୂଡ଼ାନ୍ତ ରୂପ ନେଇସାରିଛି । ଆସନ୍ତା କିଛି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ।
ଚଳିତ ସପ୍ତାହ ଶେଷରେ ୟୁରୋପରେ ଏହାର ସ୍ବାକ୍ଷର ଉତ୍ସବ ଅନୁଷ୍ଠିତ ହୋଇପାରେ ।” ତେବେ ଟ୍ରମ୍ପ ଉତ୍ସବରେ ଯୋଗ ଦେବେ ନାହିଁ । ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଚୁକ୍ତି ସ୍ବାକ୍ଷରିତ ହେବା ମାତ୍ରେ ବିଶ୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ‘ହର୍ମୁଜ ପ୍ରଣାଳୀ’କୁ ତୁରନ୍ତ ଖୋଲି ଦିଆଯିବ । ଫଳରେ ଆନ୍ତର୍ଜାତୀୟ ବଜାରରେ ତୈଳ ସଂକଟ ଦୂର ହେବ । ମିଳିଥିବା ସୂଚନା ଅନୁଯାୟୀ, ଇରାନ ସ୍ଥାୟୀ ଭାବେ ପରମାଣୁ ଅସ୍ତ୍ର ନିର୍ମାଣ ଯୋଜନାରୁ ଓହରିଯିବ । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ସର୍ତ୍ତରେ ସହମତି ପ୍ରକାଶ କରିଥିବା ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଉପସାଗରୀୟ ଦେଶର ନେତାଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି । ଯାହା ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପାଇଁ ବାଟ ଫିଟାଇବ। ଟ୍ରମ୍ପଙ୍କ ବଡ଼ ଘୋଷଣା ପରେ ବିଶ୍ବ ବଜାରରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଅଶୋଧିତ ତୈଳ (Crude Oil) ଯୋଗାଣ ସ୍ବାଭାବିକ ହେବା ଆଶାରେ ଆନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଛି । ଟ୍ରମ୍ପ ଚୁକ୍ତିକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଆନ୍ତର୍ଜାତୀୟ ସମୀକ୍ଷକଙ୍କ ମତର ପୂର୍ବରୁ ମଧ୍ୟ ଅନେକ ଆଲୋଚନା ଶେଷ ମୁହୂର୍ତ୍ତରେ ବିଫଳ ହୋଇଛି । ତେଣୁ ସମ୍ପୂର୍ଣ୍ଣ ସ୍ବାକ୍ଷର ନହେବା ପର୍ଯ୍ୟନ୍ତ କିଛି କହିବା ଠିକ ହେବନି । ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ଏହି ଚୁକ୍ତି ବିଶ୍ବ ଅର୍ଥନୀତି ଓ ମଧ୍ୟପ୍ରାଚ୍ୟର ଭୂ-ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବ ।
