ଭୁବନେଶ୍ୱର : ରାଜ୍ୟରେ ପରବର୍ତ୍ତୀ ଡିଜିପି ଚର୍ଚ୍ଚା ମଧ୍ୟରେ କେନ୍ଦ୍ରୀୟ ଡିଜି ପାହ୍ୟା ପାଇଁ ଏମପାନେଲଡ ହେଲେ ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଓ ୧୯୯୫ ବ୍ୟାଚର ଆଇପିଏସ୍ ପଦ୍ମାକର ଏସ୍ ରଣପିସେ କେନ୍ଦ୍ରୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସେପଟେ ପରବର୍ତ୍ତୀ ଡିଜିପି ପାଇଁ ଆଇପିଏସ ଅଧିକାରୀ ଭାବେ ୩୦ବର୍ଷରୁ ଅଧିକ ବର୍ଷ କାର୍ଯ୍ୟ କରିଥିବା ଆଉ ତିନି ଅଧିକାରୀଙ୍କ ନାଁ ୟୁପିଏସସିକୁ ପଠାଇଛନ୍ତି ରାଜ୍ୟ ସରକାର । ୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ନାଁକୁ ମଧ୍ୟ ୟୁପିଏସସିକୁ ପଠାଯାଇଛି । ଏବେ କାହାକୁ ରାଜ୍ଯ ସରକାର ଡିଜିପି ନିଯୁକ୍ତି ଦେବେ ସେନେଇ ବଢିଲା ସସପେନସ ।
ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି । ପୂର୍ବରୁ ପୋଲିସ କମିଶନର ଭାବେ ସଫଳତାର ସହ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି । ଏହା ସହ ସେ ବ୍ରିଟେନର ଲିଭରପୁଲ୍ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ ପିଏଚଡି ହାସଲ କରିଛନ୍ତି । ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରବର୍ତ୍ତୀ ଡିଜିପି ରେସରେ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ସବୁଠାରୁ ଆଗରେ ରହିଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଡିଜି ପଦବୀ ପାଇଁ ସେ ମନୋନୀତ ହେବା ତାଙ୍କ ନେତୃତ୍ୱର ଯୋଗ୍ୟତାକୁ ଆହୁରି ମଜବୁତ କରିଛି ।
୧୯୯୫ ବ୍ୟାଚର ପିଏସ୍ ରଣପିସେ କେନ୍ଦ୍ରୀୟ ସୁରକ୍ଷା ବଳର ଅଭିଜ୍ଞ ଚେହେରା। ବର୍ତ୍ତମାନ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ-CISFରେ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। CRPFରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସନ ଏବଂ ନେତୃତ୍ୱ ନେବାର ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ଓଡ଼ିଶାରେ ମଧ୍ୟ ଭିଜିଲାନ୍ସ ଏଡିଜିପି ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ଏମ.ଟେକ୍ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ରଣପିସେଙ୍କୁ ତାଙ୍କର ଅନନ୍ୟ ସେବା ଏବଂ ଆନ୍ତରିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଧ୍ୟ ପୋଲିସ ପଦକ ମିଳିଛି ।
ଓଡ଼ିଶାର ପରବର୍ତ୍ତୀ ଡିଜି ଭାବେ ରେସରେ ସୁଧାଂଶୁଙ୍କ ଷଡ଼ଙ୍ଗୀଙ୍କ ସହ ସୁଶାନ୍ତ ନାଥ ଓ ଆରପି କୋଚେଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ୧୯୯୩ ବ୍ୟାଚ ଆଇପିଏସ ଅଧିକାରୀ ଆରପି କୋଚେ। ବର୍ତ୍ତମାନ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ସେ ଏଡିଜି ଆଇନ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ସେହିପରି ୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥ । ଏବେ ଓଡ଼ିଶା ଜେଲ୍ ଏବଂ ସଂସ୍କାର ସେବା ବିଭାଗର ଡିଜି ଭାବେ କାର୍ଯ୍ୟରତ। ପୂର୍ବରୁ କେନ୍ଦ୍ରରେ ସୀମା ସୁରକ୍ଷା ବଳର ଆଇଜି ଭାବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି।
ପରବର୍ତ୍ତୀ ଡିଜି ପଦବୀ ପାଇଁ ୟୁପିଏସପିକୁ ୩ଟି ନାଁ ସରକାର ପଠାଇଥିବା ବେଳେ ଏବେ ଆଇପିଏସ ଅଧିକାରୀ ଭାବେ ୩୦ବର୍ଷରୁ ଅଧିକ ବର୍ଷ କାର୍ଯ୍ୟ କରିଥିବା ଆଉ ତିନି ଅଧିକାରୀଙ୍କ ନାଁ ପଠାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱା। ସେହିପରି ୧୯୯୫ ବ୍ୟାଚ ଆଇପିଏସ ପିଏସ୍ ରଣପିସେଙ୍କ ନାଁକୁ ମଧ୍ୟ ପଠାଯାଇଛି। ସଞ୍ଜୀବ ପଣ୍ଡୀ ବର୍ତ୍ତମାନ ଆଣ୍ଟି ନକ୍ସଲ ଅପରେସନର ଏଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି। ଏହା ସହ ରାଜ୍ୟର ସ୍ବତନ୍ତ୍ର ଗୁଇନ୍ଦା ବିଭାଗ ଦାୟିତ୍ବରେ ମଧ୍ଯ ଅଛନ୍ତି। ସେହିପରି ଯଶୱନ୍ତ ଜେଠୱା ବର୍ତ୍ତମାନ ରାଜ୍ୟ ଭିଜିଲାନସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଏବଂ ସ୍ୱଚ୍ଛ ଶାସନ ପାଇଁ ସେ ବେଶ୍ ଜଣାଶୁଣା ।
ଚଳିତ ବର୍ଷ ଅଗଷ୍ଟ ୧୬ ରେ ବର୍ତ୍ତମାନର ଡିଜିପି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ପରବର୍ତ୍ତୀ ପୋଲିସ ଡିଜି ଚୟନ ପ୍ରକ୍ରିୟା ଜୋରଦାର ହୋଇଛି । ଏବେ କାହା ନାଁକୁ ୟୁପିଏସସି ଅନୁମୋଦନ କରିବେ ଓ କାହାକୁ ରାଜ୍ଯ ସରକାର ନିଯୁକ୍ତି ଦେବେ ତା ଉପରେ ନଜର ।
