ଭୁବନେଶ୍ୱର : ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ୨୦ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି। ମୟୂରଭଞ୍ଜ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବାରୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ଏକ ଅଭେଦ୍ୟ ସୁରକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ବ୍ୟାପକ ପୋଲିସ ଫୋର୍ସ ଓ ସ୍ପେଶାଲ ୟୁନିଟ୍ ମୁତୟନ କରାଯାଇଛି । ଗସ୍ତ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ ସୁରକ୍ଷା ପାଇଁ ପ୍ରାୟ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସଭାସ୍ଥଳ, ହେଲିପ୍ୟାଡ୍ ଏବଂ କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରାୟ ୪ହଜାର୫ଶହରୁ ୫ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।ରାଜ୍ୟର ଆଣ୍ଟି-ନକ୍ସଲ ଏବଂ ଆଣ୍ଟି-ଟେରରିଷ୍ଟ ୟୁନିଟର ସ୍ୱତନ୍ତ୍ର କମାଣ୍ଡୋମାନେ ରାଇରଙ୍ଗପୁର ଏବଂ ବାଦାମପାହାଡ଼ ଅଞ୍ଚଳରେ ମୁତୟନ ରହିବେ। କେନ୍ଦ୍ରାଞ୍ଚଳ DIG ଏବଂ ମୟୂରଭଞ୍ଜ ଏସପିଙ୍କ ସମେତ ଏକାଧିକ ବରିଷ୍ଠ IPS ଅଧିକାରୀ ସୁରକ୍ଷାର ବିଭିନ୍ନ ସେକ୍ଟରର ଦାୟିତ୍ୱରେ ରହିବେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯାତାୟାତ କରିବାକୁ ଥିବା ସମସ୍ତ ରୁଟ୍ ଏବଂ ମୁଖ୍ୟ ସଭାସ୍ଥଳ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ‘ନୋ-ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି।
ଗଣମାଧ୍ୟମ କିମ୍ବା ସାଧାରଣ ଜନତା କେହି ବି ସଭାସ୍ଥଳ ନିକଟରେ ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ ଡ୍ରୋନକୁ ଜବତ କରାଯିବା ସହ ତୁରନ୍ତ ଗିରଫ କରାଯିବ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ୨୪ ଘଣ୍ଟିଆ ଗାଡ଼ି ଚେକିଂ ବ୍ୟବସ୍ଥା କରାଯାଇଛି। ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳରେ ଥିବା ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳା ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ସେଠାରେ ରହୁଥିବା ଲୋକଙ୍କ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଉଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ ହେବ।
ଏସପିଜି କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ବଳୟ ସମ୍ଭାଳିବେ। ଓଡ଼ିଶା ପୋଲିସ ମଧ୍ୟମ ଓ ବାହ୍ୟ ବଳୟରେ ସୁରକ୍ଷା ଯୋଗାଇବେ। SLS ମେମୋରିଆଲ ସ୍କୁଲ, ଗୋସାଣୀ ପୀଠ ଏବଂ ମୁଖ୍ୟ ପ୍ରଦର୍ଶନୀ ପଡ଼ିଆକୁ ମାଇନ୍-ଡିଟେକ୍ଟର ଏବଂ ସେନ୍ସର ସାହାଯ୍ୟରେ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଉଛି। ସମ୍ପୂର୍ଣ୍ଣ ସଭାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ନଜର ରଖିବା ପାଇଁ ଶତାଧିକ ହାଇ-ଡେଫିନେସନ୍ ସିସିଟିଭି କ୍ୟାମେରା ଲଗାଯାଇ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ୨୪ ଘଣ୍ଟା ମନିଟରିଂ କରାଯାଉଛି। ରାଇରଙ୍ଗପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭାରୀ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ ବା ରୁଟ୍ ବଦଳାଯାଇଛି। ଯେପରି ଭିଭିଆଇପି କନଭୟ ଯିବା ସମୟରେ କୌଣସି ଜାମ ସୃଷ୍ଟି ନହେବ। ସାଧାରଣ ଜନତାଙ୍କ ଗାଡ଼ି ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ ରଖାଯାଇଛି।
