ଭୁବନେଶ୍ୱର : ୫ ଶିଶୁ ଓରାଙ୍ଗଉଟାନ୍ ଙ୍କ ଯତ୍ନ ପାଇଁ ବଡ଼ ପଦକ୍ଷେପ । ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ରକ୍ଷଣାବେକ୍ଷଣ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି ୫ ଜଣିଆ ବୈଷୟିକ କମିଟି। ନନ୍ଦନକାନନରେ ଥିବା ଓରାଂଉଟାନଙ୍କ ଯତ୍ନ ସହ ଜଡ଼ିତ ସମସ୍ତ ବିଷୟରେ ଏହି କମିଟି ଅନୁଧ୍ୟାନ କରିବ। ସେମାନଙ୍କୁ କେମିତି ଖାଦ୍ୟ ଦିଆଯିବ, ସ୍ୱାସ୍ଥ୍ୟର ଯତ୍ନ କିପରି ନିଆଯିବ ଏବଂ କେଉଁ ପରିବେଶରେ ରଖାଯିବ—ଏସବୁ ନେଇ ବିଶେଷଜ୍ଞମାନେ ପରାମର୍ଶ ଦେବେ।
ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ରହିବେ। ଏଥିରେ ମହୀଶୂରର ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସକ, ଡେରାଡୁନ୍ ର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱର OUATର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର ସାମିଲ ଅଛନ୍ତି। ଆବଶ୍ୟକ ପଡ଼ିଲେ କମିଟି ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞ କିମ୍ବା ସଂସ୍ଥାର ସହାୟତା ମଧ୍ୟ ନେଇପାରିବ।
ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା PCCF (Wildlife) ପି.କେ. ଝା କହିଛନ୍ତି, ଏହି ଓରାଙ୍ଗଉଟାନ୍ ମାନେ ଭାରତର ମୂଳ ବନ୍ୟପ୍ରାଣୀ ନୁହନ୍ତି। ତେଣୁ ବର୍ତ୍ତମାନ ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେଉଛି ନନ୍ଦନକାନନର ହ୍ୟାଣ୍ଡ-ରିୟରିଂ ସେଣ୍ଟରରେ ସେମାନଙ୍କୁ ସର୍ବୋତ୍ତମ ଯତ୍ନ ଦେବା। ୫ ଶିଶୁ ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ଉପରେ ଦିନରାତି ନଜର ରଖାଯାଉଛି।
ଏଥିପାଇଁ ୩ ଜଣ କେୟାରଟେକରଙ୍କ ସହ ଡାକ୍ତରମାନେ ନିୟୋଜିତ ହୋଇଛନ୍ତି। OUAT ୱାଇଲ୍ଡଲାଇଫ୍ ଟ୍ରିଟମେଣ୍ଟ ସେଣ୍ଟର ମୁଖ୍ୟ ଆଦିତ୍ୟ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଶିଶୁ ଓରାଙ୍ଗଉଟାନ୍ ମାନେ ଧୀରେ ଧୀରେ ନିଜ କେୟାରଟେକରଙ୍କ ସହ ପରିଚିତ ହୋଇଗଲେଣି। ସେମାନେ କେୟାରଟେକରଙ୍କ ହାତରୁ ସହଜରେ ଖାଦ୍ୟ ମଧ୍ୟ ଗ୍ରହଣ କରୁଛନ୍ତି। ୫ଟି ମଧ୍ୟରୁ ଗୋଟିଏ ଶିଶୁ ଜ୍ୱରରୁ ସୁସ୍ଥ ହୋଇଛି। ଅନ୍ୟ ଦୁଇଟି ଥଣ୍ଡାରୁ ସୁସ୍ଥ ହୋଇଥିବା କୁହାଯାଇଛି।
