ଭଦ୍ରକ (ପି ଏ ନ ):
ଭଦ୍ରକସ୍ଥିତ ବିଦ୍ୟାର୍ଥୀ ଏକାଡେମୀ ପକ୍ଷରୁ ସଂକଳ୍ପ ଦିବସ ଓ ‘ସ୍ୱାଗତମ’ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷା, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ, ସଂସ୍କାର ଓ ଦୃଢ଼ ସଂକଳ୍ପର ଗୁରୁତ୍ୱ ଉପରେ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା।

ସମୟର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ ଓ ସମାଜସେବୀ ଡ. ଗୁରୁ କଲ୍ୟାଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ସ୍ପେଶାଲ୍ ଡିଜିପି ଡ. ଗୋପବନ୍ଧୁ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରାଷ୍ଟ୍ରୀୟ ସାମ୍ବାଦିକ ମହାସଂଘ ଓ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ସ୍ମଲ୍ ଆଣ୍ଡ ମିଡିୟମ୍ ନ୍ୟୁଜପେପର୍ସ, ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ‘ପର୍ଯ୍ୟବେକ୍ଷକ’ ଓ ‘ଦ କଳିଙ୍ଗ କ୍ରୋନିକଲ୍’ର ମୁଖ୍ୟ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଡ. ଗୁରୁ କଲ୍ୟାଣ ମହାପାତ୍ର କହିଥିଲେ ଯେ, ଛାତ୍ରଜୀବନ ହେଉଛି ସଫଳ ଓ ଅର୍ଥପୂର୍ଣ୍ଣ ଜୀବନର ମୂଳଦୁଆ। ଶୃଙ୍ଖଳା, ସମୟାନୁବର୍ତ୍ତିତା, ସଚ୍ଚୋଟତା, କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପକୁ ଜୀବନର ଅଂଶ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କେବଳ ଭଲ ନମ୍ବର କିମ୍ବା ଚାକିରି ପାଇବା ଶିକ୍ଷାର ଲକ୍ଷ୍ୟ ନୁହେଁ, ଶିକ୍ଷା ଭଲ ମଣିଷ ଓ ଦାୟିତ୍ୱବାନ ନାଗରିକ ଗଢ଼ିବାରେ ସହାୟକ ହେବା ଉଚିତ ବୋଲି ସେ କହିଥିଲେ।
ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଥିଲେ ଯେ, ଭବିଷ୍ୟତ ଗଠନ ପାଇଁ ଛାତ୍ରଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ସମୟ। ଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ସ୍ପଷ୍ଟ କରି ଏକାଗ୍ରତା, ନିଷ୍ଠା ଓ ନିରନ୍ତର ପ୍ରୟାସର ସହ ଆଗକୁ ବଢ଼ିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ଡ. ଗୋପବନ୍ଧୁ ମଲ୍ଲିକ ଶୃଙ୍ଖଳା, ସମୟର ସଠିକ୍ ବିନିଯୋଗ ଓ କର୍ତ୍ତବ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦୃଢ଼ ସଂକଳ୍ପ ଓ ସକାରାତ୍ମକ ମନୋଭାବ ସହ ନିରନ୍ତର ପରିଶ୍ରମ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଡ. ପବିତ୍ର ମୋହନ ସାମନ୍ତରାୟ ଆଧୁନିକ ଶିକ୍ଷା ସହିତ ମୂଲ୍ୟବୋଧ, ନୈତିକତା ଓ ସଂସ୍କାରକୁ ସମନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ଜ୍ଞାନ ଓ ଦକ୍ଷତାକୁ ସମାଜ ତଥା ଦେଶର ପ୍ରଗତିରେ ବିନିଯୋଗ କରିବା ଉଚିତ ବୋଲି ସେ କହିଥିଲେ।
ବିଦ୍ୟାର୍ଥୀ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ ଦୀପା ଉପାଧ୍ୟାୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏକାଡେମୀର ନିର୍ଦ୍ଦେଶକ ସୁନୀଲ କୁମାର ପାଢ଼ୀ ଅନୁଷ୍ଠାନର ଶିକ୍ଷାଦାନ ପଦ୍ଧତି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପ୍ରତି ଗୁରୁତ୍ୱ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
‘ସ୍ୱାଗତମ’ ଦିବସ ଅବସରରେ ନୂତନ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯିବା ସହ ସେମାନଙ୍କ ଶିକ୍ଷାଜୀବନର ସଫଳତା କାମନା କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ ରହିବା, ଶୃଙ୍ଖଳା ପାଳନ କରିବା, ନିୟମିତ ଅଧ୍ୟୟନ କରିବା ଏବଂ ଦାୟିତ୍ୱବାନ ଓ ଆଦର୍ଶ ନାଗରିକ ଭାବେ ଗଢ଼ିଉଠିବା ପାଇଁ ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପଣ୍ଡା, ଅଚ୍ୟୁତ କୁମାର ସାହୁ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ମିତୁସ୍ମିତ ସତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶିଷ୍ଟ ଅତିଥିମାନଙ୍କ ପ୍ରେରଣାଦାୟକ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଆତ୍ମବିଶ୍ୱାସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ସୃଷ୍ଟି କରିଥିଲା।
ସମଗ୍ର କାର୍ଯ୍ୟକ୍ରମ ଶିକ୍ଷା, ସଂସ୍କାର, ଶୃଙ୍ଖଳା ଓ ସଂକଳ୍ପର ଏକ ସୁନ୍ଦର ସମନ୍ୱୟର ପରିଚୟ ଦେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ଓ ପ୍ରେରଣା ପ୍ରଦାନ କରିଥିଲା।
